ନବରଙ୍ଗପୁର: ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଜଳକଷ୍ଟରେ ଜର୍ଜରିତ ଜୀବନ । ଖରାଦିନେ ତାତି ସାଙ୍ଗକୁ ପାଣି ମୁନ୍ଦେ ପାଇଁ ଛଟପଟ ହେଉଛନ୍ତି ଲୋକେ । ଘରୁ ବାହାରିବା ଏକପ୍ରକାର ମୁସକିଲ ହୋଇଥିବାବେଳେ ପାଣି ପାଇଁ ଧାଡିରେ ବିତୁଛି ଘଣ୍ଟା ଘଣ୍ଟା । ଗୋଟିଏ ଗରା ଭରିବାକୁ ଘଣ୍ଟାଏ ଲାଗୁଛି । ଏପରି ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତର ଏକମ୍ବା ଗ୍ରାମର ଦୁଇ ସାହିରୁ । ପାଣି ପାଇଁ ଦୁଇ ସାହି ଲୋକଙ୍କ ଏ ଦୁଃଖ ଦୀର୍ଘ ଦିନର ହେଲେ ନା ଏ ଦିଗରେ କାହା ନଜର ପଡୁଛି ସମସ୍ୟାର ସମାଧାନ ହେଉଛି । ଦୀର୍ଘ 5 ବର୍ଷ ହେବ ଏ ସମସ୍ୟା ଭୋଗୁଛନ୍ତି ନନ୍ଦାହାଣ୍ଡିବାସୀ ।
ପାଣି ମୁନ୍ଦେ ପାଇଁ ପାଇପ ଆଗରେ ଗରା ବାଲ୍ଟି ଥୋଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ମହିଳାମାନେ । ବହୁ ବାର ବ୍ଲକ କାର୍ଯ୍ୟାଳୟ ଓ ସରପଞ୍ଚ , ବିଧାୟକ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗ୍ରୀଷ୍ମ ବଢିବା ସହ ଜଳ କଷ୍ଟ ବଢ଼ିବାରେ ଲାଗିଛି। ଗୋଟିଏ ହାଣ୍ଡି ପାଣି ପାଇଁ ମହିଳାଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। ନନ୍ଦାହାଣ୍ଡି ବ୍ଲକ୍ ସଦର ପଞ୍ଚାୟତର ଏକମ୍ବା ଗ୍ରାମରେ ଏହି ଜଳକଷ୍ଟରେ ଦିନ କାଟୁଛନ୍ତି ସାହିବାସୀ ।
ଗ୍ରାମର ଉପର ମୁଣ୍ତରେ ରହୁଥିବା ସାହି ଗୁଡ଼ିକ ମୁଖ୍ୟତଃ ହରିଜନ ସାହି, ଗୌଡ଼ ସାହିରେ ଉତ୍କଟ ପାନୀୟ ଜଳ ସମସ୍ୟା ରହିଛି। ଗ୍ରାମରେ ପ୍ରାୟ ୪୫୦ ପରିବାର ରହୁଥିବାବେଳେ ୩୨ ଗୋଟି ନଳକୂପ ଦୁଇ ଗୋଟି ଗଭୀର ନଳକୂପ ରହିଛି କିନ୍ତୁ ସେଥିରୁ 6ଟି ନଳକୂପ ଓ ଗୋଟିଏ ଗଭୀର ନଳକୂପ ଖରାପ ହୋଇ ପଡ଼ିଛି । ଫଳରେ ପାନୀୟ ଜଳ ସଙ୍କଟ ବଢ଼ି ଯାଇଛି ।
ଗ୍ରାମରେ ଆଉ 5 ଗୋଟି ନଳକୂପ ସହ ଗଭୀର ନଳକୂପର ମଟର ମରାମତି କଲେ ପାନୀୟ ଜଳ ସମସ୍ୟା ଦୂର ହୋଇଯିବ ବୋଲି ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ଗଣମାଧ୍ୟମ ଠାରୁ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଏକାମ୍ବା ଯାଇ ପରିସ୍ଥିତି ଅନୁଧ୍ୟାନ କରି ସମସ୍ୟା ଦୂର କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ତେବେ କେବେ ଏକାମ୍ବାବାସୀଙ୍କ ଏ ଜଳକଷ୍ଟ ଯାଉଛି ତାହା ଦେଖିବା ବାକି ରହିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ