ନବରଙ୍ଗପୁର: ଚଳିତ ବର୍ଷ କୋରୋନା ପାଇଁ ଫିକା ପଡିଲା ଓଡିଆଙ୍କ ଗଣ ପର୍ବ ରଜ । ସୋମବାର ଥିଲା ରଜ ସଂକ୍ରାନ୍ତି । ଏହି ଉତ୍ସବରେ ଝିଅମାନେ ସଜବାଜ ହୋଇ ଗାଁ ବୁଲିବା ସହିତ ଦୋଳି ଖେଳରେ ମଜି ଯାଆନ୍ତି । କିନ୍ତୁ ଚଳିତ ବର୍ଷ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ରଜ ପାଳନରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି ।
ତେବେ ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ରଜ ପର୍ବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଘର ପରିସର ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ବିଭିନ୍ନ ପ୍ରକାରର ପିଠା ପଣା ତିଆରି କରି ପରସ୍ପର ମଧ୍ୟରେ ପିଠା ଖୁଆଇ ବେଶ ନିରାଡମ୍ବର ସହ ରଜ ପାଳନ କରିଛନ୍ତି ଗ୍ରାମାଞ୍ଚଳବାସୀ । ପର୍ବ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନବରଙ୍ଗପୁର, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଗାଁରେ ଝିଅମାନେ ନୂଆ ପୋଷାକ ପରିଧାନ କରି କୁଙ୍କୁମ ଅଳତା ଲଗାଇ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିସହ ଗାଁ ଗହଳିର ଆମ୍ବ, ତେନ୍ତୁଳି ଗଛରେ ବାଉଁଶ ଦୋଳି ବାନ୍ଧି ଝିଅମାନେ ଦୋଳି ଖେଳର ମଜା ନେବା ସହ ନାଚ ଗୀତରେ ମସଗୁଲ ଥିବା ପରିଲକ୍ଷିତ ହୋଇଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ