ନବରଙ୍ଗପୁର: ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବିଧାୟକ ସଦାଶିବ ପ୍ରଧାନୀ । ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଦେଇଛନ୍ତି ସଦାଶିବ । ବିଧାୟକ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ ପାଇଁ ସେ ଚିଠି ଲେଖିଛନ୍ତି ।
ଏହି ଅର୍ଥରେ କରୋନା ମୁକାବିଲା କରିବା ପାଇଁ ଅଧିକ ସଂଖ୍ୟକ ଲୋକ ନିୟୋଜିତ ହେବେ । ଏହାସହ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ଆବଶ୍ୟକୀୟ ଜିନିଷପତ୍ର କ୍ରୟ, ଶୌଚାଳୟ, ପାନୀୟ ଜଳ, ଆମ୍ବୁଲାନ୍ସ ଓ ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଏବଂ ଆଇସୋଲେସନ କେନ୍ଦ୍ରରେ ଖର୍ଚ୍ଚ କରିବା ପାଇଁ ଏହି ଅର୍ଥ ବିନିଯୋଗ ହେବ । ଏହି ଅର୍ଥ ମଧ୍ୟରୁ ୨୦୧୯-୨୦ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଓ ୨୦୨୦-୨୧ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଭରଣା ହେବ ।
ଏହାପୂର୍ବରୁ ସେ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ବିଧାୟକ ସଦାଶିବ ପ୍ରଧାନୀ କୋରୋନା ଭଳି ଭୟଙ୍କର ଅଦୃଶ୍ୟ ଶକ୍ତିର ମୁକାବିଲା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିବାରୁ ବିଧାୟକଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଛି । ପୂର୍ବରୁ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଏବଂ ସାଂସଦ ରମେଶ ଚନ୍ଦ୍ର ମାଝୀ ସାଂସଦ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ