ନବରଙ୍ଗପୁର: ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଜିଲ୍ଲା କଂଗ୍ରେସ । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ବେକାରି ସମସ୍ୟା ବୃଦ୍ଧି ପାଇଛି । ସେପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ପଦପଦବୀ ପାଇଁ ରାଜ୍ୟ ଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ । ଏନେଇ ନବରଙ୍ଗପୁର କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ।
ଜିଲ୍ଲା ଶିକ୍ଷାକ୍ଷେତ୍ରରେ ପଛରେ ରହିଥିବାରୁ ରାଜ୍ୟ ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଅନେକ ଯୋଗ୍ୟ ଆଶାୟୀ ଚାକିରି ପାଉନଥିବା ଅଭିଯୋଗ ହୋଇଛି । କଂଗ୍ରେସ ଶାସନ ଅମଳରେ ତତ୍କାଳୀନ ନବରଙ୍ଗପୁର ବିଧାୟକ ଜନାବ ହାବିବୁଲ୍ଲା ଖାଁ ଜିଲ୍ଲାର ଶିକ୍ଷିତ ଯୁବକଯୁବତୀଙ୍କୁ କିଭଳି ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ମିଳିବ ସେନେଇ ସର୍ବଦା ଯତ୍ନବାନ ଥିଲେ । କିନ୍ତୁ ବର୍ତ୍ତମାନର ବିଜେଡି ବିଧାୟକ ଓ ସାଂସଦମାନେ ନିଜ ପଦବୀର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ରାଜ୍ୟ ଭିତ୍ତିକ ନୁଯୁକ୍ତିକୁ ବିରୋଧ କରିବାକୁ ସାହସ କରିପାରୁନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ।
ବିଗତ ଦିନରେ ଜିଲ୍ଲାରେ ୧୧ଟି ରେଭେନ୍ୟୁ ଇନ୍ସପେକ୍ଟର ପଦବୀ ସୃଷ୍ଟି ହୋଇଥିଲା । ତେବେ ଏଥିରେ ଜଣେ ମଧ୍ୟ ନବରଙ୍ଗପୁର ଜିଲ୍ଲାର ଆଶାୟୀ ନିଯୁକ୍ତ ହୋଇ ନାହାନ୍ତି । ତାସହ ୧୬୩ ଜଣ ନୂତନ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୨୨ ଜଣ ହିଁ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ସମସ୍ତ ନବନିଯୁକ୍ତ ବାହାର ଜିଲ୍ଲାର । ଆଗାମୀ ଦିନରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ନବରଙ୍ଗପୁର କଂଗ୍ରେସ ।
ଚାକିରି ଅବଧି ମଧ୍ୟରେ ଘରର ମୁରବୀଙ୍କ ମୃତ୍ୟୁ ହୋଇଥିବାବେଳେ ରିହାବିଲେସନ ସ୍କିମ୍ରେ ଶିକ୍ଷା ବିଭାଗରେ ଜଣେ ମଧ୍ୟ ଆଶାୟୀଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇନାହିଁ । ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟୀ କରିଛି ଜିଲ୍ଲା କଂଗ୍ରେସ । ଯଦି ଆଗାମୀ ୧୫ ଦିନ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ଯୋଜନାରେ ନିଯୁକ୍ତି ଯୋଗାଇଦିଆଯାଇନଯାଏ ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ