ନବରଙ୍ଗପୁର : ଖରାଦିନିଆ କାଳ ବୈଶାଖୀ ସହ ବଜ୍ରାଘାତ ସବୁଠୁ ଅଧିକ ବିପଦପୂର୍ଣ୍ଣ । ବର୍ତ୍ତମାନ ସନ୍ଧ୍ୟା ସମୟ ଆସିଲେ ହଠାତ ଆକାଶରେ କଳାମେଘ ଘୋଟି ଆସି ଜୋରରେ ପବନ ବହିବା ସହିତ ଆରମ୍ଭ ହୋଇଯାଏ ଘଡଘଡି ଓ ବର୍ଷା । ତେବେ ଏହି ବଜ୍ରାଘାତରୁ ବଞ୍ଚିବା ପାଇଁ ଅନେକ କୌଶଳ ରହିଛି । ଘଡଘଡି ସମୟରେ ଗଛ ମୂଳରେ ରହିବା ପାଇଁ ସର୍ବଦା ବାରଣ କରାଯାଇଛି ।
ସେହିଭଳି ଖୋଲା ଆକାଶ ତଳେ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କିଛି କୌଶଳ ଦ୍ୱାରା ନିଜକୁ ସୁରକ୍ଷିତ ରଖା ଯାଇପାରିବ । ତେବେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେନେଇ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଭିନ୍ନ ଧରଣର ଦୃଶ୍ୟ । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦେଖାଇଛନ୍ତି ବଜ୍ରାଘାତ ବିପତିରୁ ବଞ୍ଚିବାର କୌଶଳ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚଳନା କମିଟି ବୈଠକରେ ଜିଲ୍ଲାପାଳ ନିଜେ କୌଶଳ ପ୍ରଦର୍ଶନ କରିଛନ୍ତି ।
ଏହି ବୈଠକରେ ନବରଙ୍ଗପୁରର ବିଧାୟକଙ୍କ ସହ ଅନେକ ରାଜନେତା ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ ଏହି କୌଶଳ ଶିକ୍ଷା ପ୍ରଦର୍ଶନ କରିଛନ୍ତି ।ଜିଲ୍ଲାପାଳଙ୍କ ଏହି କୌଶଳ ପ୍ରଦର୍ଶନ ସମୟରେ ଉପସ୍ଥିତ ସମସ୍ତେ ଏହାର ଭରପୁର ମଜା ନେବାସହ କୌଶଳ ଶିକ୍ଷା କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ