ନବରଙ୍ଗପୁର: ଘରୋଇ କଳିର କରୁଣ ପରିଣତି । ମଦ୍ୟପ ଜ୍ବାଇଁର ଉନ୍ମକ୍ତ କାଣ୍ଡ । ଜ୍ବାଇଁ କାଟିଲା ଶାଶୂର ତଣ୍ଟି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚନ୍ଦାହାଣ୍ଡି ଗାଁରେ । ଗୁରୁତର ମହିଳା ହେଲେ ପଦ୍ମା ହରିଜନ ।
ସୂଚନା ଅନୁଯାୟୀ, ପଦ୍ମା ଶୁକ୍ରବାର ଦିଆଲି ପର୍ବ ପାଳନ ପାଇଁ ଡାବୁଗାଁରେ ରହୁଥିବା ଝିଅ ଘରକୁ ଆସିଥିଲେ । ଆଉ ମାତାଲ ଅବସ୍ଥାରେ ଘରେ ପହଞ୍ଚି ଯାଇଥିଲେ ଜ୍ବାଇଁ ପିତାମ୍ବର ହରିଜନ । ମଦ୍ୟପାନକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଏଥିରେ ଉତକ୍ଷିପ୍ତ ହୋଇ ପିତାମ୍ବର ଝଗଡା ପାଇଁ ଶାଶୂଙ୍କୁ ଦାୟୀ କରି ଧାନ କଟା ଦା’ରେ ବେକକୁ କାଟି ପକାଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଡାବୁଗାଁ ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ