ନବରଙ୍ଗପୁର: ପୋଲିସର ନିଦ ହଜାଇଲେ ଦୁର୍ବୃତ୍ତ । ଗୋଟିଏ ଦିନରେ ନବରଙ୍ଗପୁରରେ ଦୁଇ ଦୁଇଟି ଲୁଟ ଘଟଣା ପୋଲିସ ଆଖିରୁ ନିଦ ହଜାଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସଂନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାରସୁଣ୍ଡି ଗ୍ରାମ ନିକଟରେ ଜଣେ ସୁନା ବ୍ୟବସାୟୀ ଫେରୁଥିଲେ । ସେହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରି ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ନେଇ ରାଇଘର ଥାନାରେ ଅଭିଯୋଗ ହୋଇଛି ।
ସେହିପରି ଗୁରୁବାର ଜିଲ୍ଲାର କୋଡିଙ୍ଗା ଥାନା ଅନ୍ତର୍ଗତ ଦେଉଧରା ଗ୍ରାମ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ମୁହଁରେ ଗାମୁଛା ପକାଇ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ କିଛି ସମୟ ମଧ୍ୟରେ ରାଇଘର ଥାନା ଅଞ୍ଚଳର ଏହି ଘଟଣା ଲୋକଙ୍କୁ ଆତଙ୍କିତ କରିଛି । ତେବେ ଲୁଟ୍ ଘଟଣା ବାରମ୍ବାର ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ । ଏପଟେ ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣା ଜିଲ୍ଲା ପୋଲିସର ନିଦ ହଜାଇ ଦେଇଛି ।
ପ୍ରକାଶ ଥାଉକି, ମଙ୍ଗଳବାର ମଧ୍ୟ ନବରଙ୍ଗପୁରର ରାଇଘର ଥାନା ମହୁଭାଟ୍ଟା ଗ୍ରାମର ଆଶାରାମ ଗଣ୍ଡ ନାମ ବ୍ୟକ୍ତି ପ୍ରତିଦିନ ଭଳି ଗୋନା ସପ୍ତାହିକ ହାଟରୁ ବ୍ୟବସାୟ ସାରି ନିଜ ମୋଟରସାଇକଲ ଯୋଗେ ଘର ମହୁଭାଟ୍ଟାକୁ ଫେରୁଥିଲେ । ଭାରସୁଣ୍ଡି ଗ୍ରାମ ନିକଟରେ ଦୁଇଟି ପଲସର ବାଇକରେ ମୁଖା ପିନ୍ଧା ୪ ଜଣ ଦୁର୍ବୃତ୍ତ ହଠାତ୍ ବ୍ୟବସାୟୀ ଆଶାରାମଙ୍କୁ ଅଟକାଇ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ ।
ଏହାସହ ଏକ ଛୁରୀରେ ଆକ୍ରମଣ କରି କାଠ ବାକ୍ସରେ ଥିବା ୩୦ ଗ୍ରାମ ସୁନା ଗହଣା ଏବଂ ୧୫ କେଜି ରୂପା ଗହଣାକୁ ଲୁଟି ନେଇଥିବା ଜଣାପଡିଛି । ଆହତ ଆଶାରାମଙ୍କ ପେଟରେ ଆଘାତ ଲାଗିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତର ଖାନାକୁ ନେଇଥିବା ଜଣାପଡିଛି ।
ସେପଟେ ଘଟଣାର ଖବର ପାଇ ରାଇଘର ଥାନା ଅଧିକାରୀ ଅଭୟ ବେହେରା ରାଇଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିବାବେଳେ ସେପଟେ ପୋଲିସ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ