ନବରଙ୍ଗପୁର: ଉମରକୋଟ ଅପହରଣ ମାମଲାରେ ନୂଆ ମୋଡ । ଏକ କୂଅରୁ ଉଦ୍ଧାର ହେଲା କାର । ଅପହରଣ ନୁହେଁ ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା । ଛତିଶଗଡ କାଙ୍କେରରୁ କୋଣ୍ଡା ଗ୍ରାମକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । କାରଟି ପରିତ୍ୟକ୍ତ କୂଅରୁ ଠାବ ପରେ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଅନୁସାରେ, ଉମରକୋଟ ସହରର ସପନ ସରକାର ଗତ ୧୦ ତାରିଖରେ ଛତିଶଗଡର କାଙ୍କେରକୁ ଭୋଜି ଖାଇବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସମ୍ପର୍କୀୟଙ୍କ ଘର କୋଣ୍ଡା ଗାଁକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା ବେଳେକାଙ୍କେର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ରାସ୍ତାକଡରେ ଥିବା ଏକ କୂଅ ଭିତରୁ କାରକୁ ଠାବ କରିଛି ପୋଲିସ । ତେବେ କୂଅ ଭିତରକୁ କାର କେମିତି ଗଲା ? ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କାରଟିର ଟାୟାର ଫାଟିଯିବାରୁ କୂଅ ଭିତରେ ପଶିଯାଇଥିବା ନେଇ ଅନୁମାନ କରାଯାଉଛି । କୂଅରୁ ପାଣିକୁ ଶୁଖାଯାଇ କାରଟିକୁ ବାହାରକୁ ଅଣାଯାଇଛି । ତେବେ କାରରେ ରହିଥିବା ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଭୋଜି ଖାଇବାକୁ ଯାଇ ଫେରିଲେନି ୪ ଜଣ, ଅପହରଣ ନେଇ ଅଭିଯୋଗ
ଖବରଅନୁସାରେ, ଭୋଜି ସାରି ଶନିବାର ରାତି ପ୍ରାୟ ୧୦.୩୦ରେ ସେମାନେ କୋଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ସେ ସମୟ ଅନୁସାରେ ଘରେ ପହଞ୍ଚି ନଥିଲେ । ଏହାରି ଭିତରେ ପରିବାର ଲୋକ ବ୍ୟସ୍ତ ହୋଇ ଫୋନ ଲଗାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଏହାପରେ ସପନଙ୍କ ପୁଅ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପୁଅ କାଙ୍କେରା ଥାନାରେ ଏକ ଏତଲା ଦେଇଥିଲେ । ତେବେ ପୋଲିସର ତଦନ୍ତ ସରିଲା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ।
ଇଟିଭି ଭାରତ, ନବରଙ୍ଗପୁର