ନବରଙ୍ଗପୁର: ସରକାରଙ୍କ ତରଫରୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଲକଡାଉନ ଜାରି କରାଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।
ସ୍ଵାସ୍ଥ୍ୟସେବା ହେଉ କିମ୍ବା ପିଲାଙ୍କ ପାଠପଢା, ସବୁବେଳେ ଡାବୁଗାଁ ଅଞ୍ଚଳର ସୁଖଦୁଃଖର ସାଥି ହୋଇଥିବା ବିଧାୟକ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବର୍ଷା ଦିନ ଆରମ୍ଭରୁ ଜମି ବା ବିଲରେ କାମ କରୁଥିବା ଲୋକମାନଙ୍କୁ ପଲିଥିନ, ଶୁଖିଲା ଚୁଡା, ମୁଡି ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । କୋରୋନା ସଂକ୍ରମଣ ସମୟରେ ବିଧାୟକ ଘରେ ନ ରହି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଦିନ ନିଜସ୍ବ ଖର୍ଚ୍ଚରେ ଗରିବ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।
ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମ ଯଥା ବାଇଗାଁ, କୁମଝରିଆଗୁଡା, କୁସୁମବନ୍ଦ, ଦାଡିଆଗୁଡା, କେଳିଆ, ଗିରଲିଗୁଡା ଆଦି ଗ୍ରାମରେ ଡାବୁଗାଁ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଓ ଏମ.ବୁଲୁ ରାଓଙ୍କ ସହ ବୁଲିବୁଲି ପଲିଥିନ ଓ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ। ବିଧାୟକ ମାସ୍କ ବଣ୍ଟନ କରିବା ସହ ସରକାରଙ୍କ ନିୟମକୁ ପାଳନ କରିବା ପାଇଁ ଲୋକମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବେ ଡାବୁଗାଁ ବିଧାୟକ ପ୍ରତ୍ୟେକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ବୁଲି ସ୍ଥିତି ପରଖୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ସେବା ମନୋବୃତ୍ତିକୁ ଜନସାଧାରଣ ଓ ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ