ନବରଙ୍ଗପୁର: କିଛି ଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ଲିଫ୍ଲେଟ୍ । ଆଜି(ରବିବାର) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଟିମନପୁର ଅଞ୍ଚଳରେ ମାଓ ଲିଫ୍ଲେଟ୍ ପଡିଥିବା ଦେଖିବାକୁ ମିଳିଛି । ଉଦନ୍ତୀ ଏରିଆ ମାଓ କମିଟି ପକ୍ଷରୁ ଏହି ଲିଫ୍ଲେଟ୍ ପକାଯାଇଛି ।
ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି । ବର୍ତ୍ତମାନ ଆଦିବାସୀମାନଙ୍କ ଜମିକୁ ବଙ୍ଗାଳିମାନଙ୍କୁ ଦେବା ବନ୍ଦ କରିବା ପାଇଁ ଟିମନପୁର ଅଞ୍ଚଳରେ ଉଦନ୍ତୀ ଏରିଆ ମାଓ କମିଟି ପକ୍ଷରୁ ଲିଫ୍ଲେଟ୍ ପକାଇ ଥିବା ଦେଖିବାକୁ ମିଳିଛି । ଏହି ଲିଫ୍ଲେଟ୍ରେ ଲେଖା ଯାଇଛି, ବଙ୍ଗାଳୀ ଲୋକମାନଙ୍କୁ ଭାରତ ସରକାର ତରଫରୁ ପଟ୍ଟା ଜମି ଦିଆଯାଇଛି । ୨୦୦୬ ମସିହାରୁ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟା ଦେବା ନିୟମ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟା ମିଳିନାହିଁ ।
ଏହାସହ ବଙ୍ଗାଳୀ ଲୋକ ଆଦିବାସୀମାନଙ୍କ ଜମିକୁ ଦଖଲ କରିବା ସହ ସ୍ତ୍ରୀ, ଝିଅମାନଙ୍କୁ ଅପହରଣ କରୁଛନ୍ତି । ତେଣୁ ଯେତେ ବି ହଳଦୀ, ହାତୀଗାଁ, କୁରାବେଡା, ନକଟିସିମୋଡ଼ା, ଟିମାନପୁର ମୁଣ୍ଡିବେଡ଼ା, ଗୋନା ଓ କୁନ୍ଦେଇ ପଞ୍ଚାୟତ ମଧ୍ୟରେ ଆଦିବାସୀମାନଙ୍କ ଜମିକୁ ବଙ୍ଗାଳୀମାନେ ଦଖଲ କରିଛନ୍ତି ତୁରନ୍ତ ଛାଡିବା ପାଇଁ ମାଓବାଦୀ ଉଦନ୍ତୀ ଏରିଆ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ବଙ୍ଗାଳୀମାନଙ୍କୁ ଜମି ଦେବା ବନ୍ଦ କରାଯାଉ ବୋଲି ଲେଖାଯାଇଛି ।
ଏହା ମଧ୍ଯ ପଢନ୍ତୁ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ପ୍ରକାଶଥାଉକି, ଗତ ୨୪ ତାରିଖ ଦିନ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ ଖାଲେପାରା ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ମୃତକ ୪୨ ବର୍ଷୀୟ ଚନ୍ଦନ ମଲ୍ଲିକ । ହତ୍ୟା ପରେ ମୃତଦେହ ନିକଟରେ ମାଓ ପୋଷ୍ଟର ଛାଡିଯାଇଥିଲେ ମାଓବାଦୀ । ଏହି ପୋଷ୍ଟରରେ ହତ୍ୟାକାଣ୍ଡ ପାଇଁ ନବରଙ୍ଗପୁର ଏସପି, ଛତିଶଗଡ ରାଜ୍ୟ ଗରିଆବନ୍ଧ ଏସପି ଓ ପୋଲିସ ଗୁଇନ୍ଦା ବିଭାଗ ଦାୟୀ ରହିବେ ବୋଲି ଉଦନ୍ତି ଏରିଆ କମିଟି ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ନବରଙ୍ଗପୁର