ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି । ମୃତ ଶିକ୍ଷକଙ୍କୁ ମିଳିଛି କୋଭିଡ କଣ୍ଟ୍ରୋଲ ରୁମ୍ ର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ । ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି । ଚଳିତ ମାସ ଜୁଲାଇ ୨୮ ତାରିଖ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାର୍ଯ୍ୟ କରିବେ । ଏପରି ଏକ ଆଶ୍ଚର୍ଯ୍ୟ କରିବା ଭଳି ଚିଠି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ।
ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କୋଭିଡ କଣ୍ଟ୍ରୋଲ ରୁମ୍ ରହିଛି । ବ୍ଲକର ଶିକ୍ଷକ ମାନଙ୍କୁ ୪ ଟି ପର୍ଯ୍ୟାୟ ଯଥାକ୍ରମେ ସକାଳ ୭ଟା ରୁ ମଧ୍ୟାହ୍ନ ୧ଟା, ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୬ଟା, ସନ୍ଧ୍ୟା ୬ ରୁ ରାତ୍ର ୧୦ ଓ ରାତ୍ର ୧୦ଟା ରୁ ସକାଳ ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଚିଠି ଜାରି ହୋଇଛି । ଶିକ୍ଷକ ମାନେ କଣ୍ଟ୍ରୋଲ ରୁମରେ ରହି କୋଭିଡ ଆକ୍ରାନ୍ତ ପରିବାରର ଫୋନ୍ କଲ୍ ଗ୍ରହଣ କରିବା, ଅଭିଯୋଗ ଶୁଣିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ ।
ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି । ଚିଠି ନ ୧୮୬୩/୨୧ ରେ ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କୋଭିଡ କଣ୍ଟ୍ରୋଲ ରୁମ୍ରେ ରହି ଶିକ୍ଷକ ମାନେ କାର୍ଯ୍ୟ କରିବେ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନି କାନ୍ତ ମେହେରଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି । ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କାର୍ଯ୍ୟ କରିବା ନେଇ ଚିଠି ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଛି ।
ଶିକ୍ଷକ ମେଦିନିକାନ୍ତ ମେହେରଙ୍କ ଘର ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଗ୍ରାମରେ ହୋଇଥିବା ବେଳେ ଗତ ବର୍ଷ ଅର୍ଥାତ ୨୦୨୦ ଅଗଷ୍ଟ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଥାଉ କି ଏହି ମୃତ ଶିକ୍ଷକଙ୍କୁ ପୂର୍ବରୁ ମଧ୍ୟ କୋଭିଡ କଣ୍ଟ୍ରୋଲ ରୁମରେ କାର୍ଯ୍ୟ କରିବା ନେଇ ଚିଠି ହୋଇଥିଲା । ତେବେ ଜଣା ପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକଙ୍କ ନାମ ତାଲିକାରୁ କଟାଯାଇଥିଲା । ଡାବୁଗାଁ ବ୍ଲକରେ ବାହାର ଜିଲ୍ଲାର ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଅବମାନନା କରି ବର୍ତ୍ତମାନ ଅନୁପସ୍ଥିତ ରହୁଥିବା ବେଳେ ସ୍ଥାନୀୟ ଶିକ୍ଷକ ମାନେ ବାଧ୍ୟ ହୋଇ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା କେତେ ଶିକ୍ଷକ ବାହାର ଜିଲ୍ଲାରୁ ଫେରିଥିବା ବେଳେ ଏବେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷକ ଅନୁପସ୍ଥିତ ଥିବାରୁ ତରବରିଆ ଭାବରେ ମୃତ ଶିକ୍ଷକଙ୍କୁ ମଧ୍ୟ କୋଭିଡ କାର୍ଯ୍ୟ କରିବାକୁ ଚିଠି ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣା ସମ୍ପର୍କରେ ଡାବୁଗାଁ ବ୍ଲକ ଶିକ୍ଷାଧିକାରୀଙ୍କ ପଚାରିବାରୁ ସେ ବ୍ଲକ ପ୍ରଶାସନ ଶିକ୍ଷକ ମାନଙ୍କ ତାଲିକା ମାଗିଥିଲେ ସେ ଅନୁସାରେ ସମସ୍ତ ଶିକ୍ଷକଙ୍କ ତାଲିକା ପଠା ଯାଇଥିଲା, ସେଥିରେ ମୃତ ଶିକ୍ଷକଙ୍କ ନାମ ଭୁଲ ବଶତଃ ରହିଥିଲା ବୋଲି କହିଛନ୍ତି । ଏହି ବିଷୟରେ ଜାଣିବା ପରେ ଏହାର ସଂଶୋଧନ କରାଯାଇଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଶିକ୍ଷାଧିକାରୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ