ନବରଙ୍ଗପୁର: ଭିଜିଲାନ୍ସ ହାତରେ ଆଉ ଜଣେ ସରକାରୀ ବାବୁ । ନବରଙ୍ଗପୁର ଜଳ ବିଭାଜିକା ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଏକ ସ୍କର୍ପିଓ ଗାଡ଼ିରେ ଘରକୁ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲକ୍ଷ୍ମୀଧର ଜେନାଙ୍କ ଗାଡିରୁ ଦୁଇ ଲକ୍ଷ ଟଙ୍କା ଏବଂ ତାଙ୍କ ପକେଟରୁ କୋଡ଼ିଏ ହଜାର ଟଙ୍କା ବାହାରିଥିଲା । ଏହାପରେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କ ଭଡାଘରୁ ଏକ ଲକ୍ଷ ଟଙ୍କା ଜବତ କରିଛନ୍ତି ।
କୌଣସି ସୂତରୁ ଭିଜିଲାନ୍ସ କର୍ମଚାରୀ ଜଳବିଭାଜିକା ଅଫିସରୁ ଲକ୍ଷ୍ମୀଧର ଜେନା ଟଙ୍କା ନେଇ ଯାଉଥିବା ସୂଚନା ପାଇଥିଲା । ତାଙ୍କ ଗାଡ଼ିକୁ ଅଟକ ରଖି ଅଧିକ ଯାଞ୍ଚ କରିଥିଲେ । ବର୍ତ୍ତମାନ ଲକ୍ଷ୍ମୀଧରଙ୍କ ନବରଙ୍ଗପୁର ଭଡାଘର ଏବଂ ଭୁବନେଶ୍ୱର ତମାଣ୍ଡୋସ୍ଥିତ ନିଜ ଘରେ ଚଢ଼ାଉ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ । ଚଢ଼ାଉ ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ