ନବରଙ୍ଗପୁର: ପ୍ରଧାନଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ମାଡ଼ମାରି ଲୁଟିନେଲେ 1 ଲକ୍ଷ 40 ହଜାର ଟଙ୍କା । ଆହତ ଅବସ୍ଥାରେ ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ବାଇକରେ ଲିଫ୍ଟ ମାଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ ।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡନୀ ଆଶ୍ରମ ସ୍କୁଲରେ ଧନୁର୍ଜୟ ନାୟକ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ଧନୁର୍ଜୟ ବ୍ୟାଙ୍କରୁ ସ୍କୁଲ୍ର ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇ ପ୍ରଥମେ ସ୍କୁଲ୍ ଯାଇଥିଲେ । ସେଠାରୁ ଡାବୁଗାଁ ସ୍ଥିତ ଘରକୁ ବାଇକ୍ ଯୋଗେ ଯିବାପାଇଁ ବାହାରିବା ସମୟରେ ସେହି ସ୍କୁଲ୍ର ସହକର୍ମୀ ଶିକ୍ଷୟିତ୍ରୀ ଶୁଭ୍ରାଙ୍ଗିନୀ ମହାଲିଙ୍ଗଙ୍କ ତାଙ୍କ ସ୍ୱାମୀଙ୍କୁ ଲିଫ୍ଟ ଦେବାକୁ କହିବା ସହ ସାଥିରେ ନେଇ ଡାବୁଗାଁରେ ଛାଡ଼ିଦେବାକୁ ଧନୁର୍ଜୟଙ୍କୁ କହିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....ସାପ୍ତାହିକ ହାଟରେ ଗୋରୁ ବେପାରୀଙ୍କଠୁ ଲୁଟ, ଆକ୍ରମଣ କରି ଲୁଟି ନେଲେ 28 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା
ପରେ ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ସହ ଡାବୁଗାଁ ଆସିବା ବାଟରେ ସିନ୍ଧିକା ଗୁଡା ଗ୍ରାମ ନିକଟରେ ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ବାଇକ ଅଟକାଇବାକୁ କହିଥିଲେ । ପରେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଜଣକ ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଧନୁର୍ଜୟଙ୍କ ପାଖରେ ଥିବା ୧ ଲକ୍ଷ ୪୦ ହଜାର ଟଙ୍କା ସହ ଶିକ୍ଷକ ଜଣକ ପିନ୍ଧିଥିବା ସୁନା ଚେନ, ମୁଦି ଲୁଟିନବା ସହ ଶିକ୍ଷକଙ୍କ ବାଇକ୍ ନେଇ ଫେରାର ହୋଇଯାଇଛନ୍ତି । ସେପଟେ ଆହତ ପ୍ରଧାନଶିକ୍ଷକଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଡାବୁଗାଁ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନନ୍ତର କରାଯାଇଛି।
ଏହା ମଧ୍ୟ ପଢ଼ନ୍ତୁ.....ପୁଅ ବେକରେ ଛୁରି ଦେଖାଇ ଲୁଟିନେଲେ ୬୦ ହଜାର ଟଙ୍କା ଓ ୪ ଭରି ସୁନା
ପ୍ରଧାନଶିକ୍ଷକଙ୍କ ପତ୍ନୀଙ୍କ କହିବା ଅନୁସରେ, ତାଙ୍କ ସ୍ବାମୀଙ୍କର ପୂର୍ବରୁ କାହା ସହ ଶତ୍ରୁତା ନଥିଲା । ଧନୁର୍ଜୟଙ୍କଠାରୁ ମଧ୍ୟାହ୍ନ ଭୋଜନ ଟଙ୍କା ଲୁଟ୍ କରିବା ସହ ସେ ପିନ୍ଧିଥିବା ସୁନା ଚେନ୍ ଓ ମୁଦି ମଧ୍ୟ ଲୁଟ କରାଯାଇଛି । ଏମିତିକି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଯାଇଥିଲା । ଧନୁର୍ଜୟଙ୍କୁ ପ୍ରଥମେ ଡାବୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଧନୁର୍ଜୟଙ୍କ ଚିକିତ୍ସା ଚାଲିଛି ।
ଇଟିଭି ଭାରତ, ନବରଙ୍ଗପୁର