ନବରଙ୍ଗପୁର: ନାଇଟ କର୍ଫ୍ୟୁ ସମୟରେ ସୁନା ଦୋକାନରେ ଚୋରି କରିଥିବା ୪ ଚୋରକୁ ଗିରଫ କଲା ନବରଙ୍ଗପୁର ପୋଲିସ । ଏନେଇ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁଯାୟୀ ଗତ ୧୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ଚାଲିଥିବା ସମୟରେ ଆନନ୍ଦ କୁମାର ନାୟକଙ୍କ ନବରଙ୍ଗପୁର ସହର ନୂଆବନ୍ଧ ସାହିରେ ଅବସ୍ଥିତ ଶ୍ରୀହରି ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ବିଳମ୍ବିତ ରାତିରେ ଚୋରି ହୋଇଥିଲା ।
ଚୋର ଦୋକାନର ଲୁହା ଗେଟ ତାଡି ସିସିଟିଭି କ୍ୟାମେରାକୁ ଅପରପାର୍ଶ୍ଵକୁ ବୁଲାଇ ଦେଇ ସୁନା ଦୋକାନରୁ ଚୋରି କରିଥିଲେ । ଆଉ ଦୋକାନରୁ ପ୍ରାୟ ୪ କିଲୋରୁ ଅଧିକା ରୁପା ଅଳଙ୍କାର ଲୁଟି ନେଇଛନ୍ତି ।
ଏନେଇ ନବରଙ୍ଗପୁର ପୋଲିସଷ୍ଟେସନରେ ଅଭିଯୋଗ ହେବାପରେ ପୋଲିସ ତରଫରୁ ତଦନ୍ତ ଆରମ୍ଭ କରାଯାଇ ଖୁବ୍ କମ ଦିନ ମଧ୍ୟରେ ନବରଙ୍ଗପୁର ପୋଲିସ ଏକ ଡକାୟତ ଦଳର ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୪ କିଲୋ ୨୫୦ ଗ୍ରାମ ଓଜନର ରୂପା ଗହଣା ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ତିନି ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି।
ଏଥିସହ ସେମାନଙ୍କ ଠାରୁ ଗୋଟିଏ ଲୁହା ରଡ଼ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମର ମୀନ ହରିଜନ, ନବରଙ୍ଗପୁର ଥାନା ଅନ୍ତର୍ଗତ ହୀରଲୀ ଉପରସାହିର ଡମୁ ହରିଜନ, ଭାଟିସାଲଗୁଡାର ଜିତେନ୍ଦ୍ର ବେହେରା , ନବରଙ୍ଗପୁର ଲହରା ସାହିର ହୁସେନ ହରିଜନଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଏସପି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ