ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକରେ କୃଷି ବୀମା ଚୟନରେ ପାତର ଅନ୍ତର ଅଭିଯୋଗ । ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଶତାଧିକ ଚାଷୀ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର କିଛି ପଞ୍ଚାୟତରେ କୃଷି ବୀମା ଲାଗୁ କରାଯାଇଥିବା ବେଳେ ଆଉ କିଛି ପଞ୍ଚାୟତକୁ ବାଦ୍ ଦିଆଯାଇଛି । ଏହି ଅଭିଯୋଗ ନେଇ ବ୍ଲକର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ତେନ୍ତୁଳିଖୁଣ୍ଟି ବ୍ଲକର କଙ୍ଗରା ଓ କାମତା ପଞ୍ଚାୟତ ଚାଷୀ ଗତବର୍ଷ ଅଞ୍ଚଳଗୁମା ଲ୍ୟାମ୍ପରୁ ଋଣ ନେଇଥିଲେ । ଅଞ୍ଚଳଗୁମା ଲ୍ୟାମ୍ପ ଅଧୀନରେ ଥିବା ପ୍ରତ୍ୟେକ ପଞ୍ଚାୟତ କୃଷି ବୀମା ପାଇବା ଯୋଗ୍ୟ ଥିବାବେଳେ ସେଥିରୁ କଙ୍ଗରା ଓ କାମତା ପଞ୍ଚାୟତ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଗତବର୍ଷ ଫସଲ କ୍ଷତିଗ୍ରସ୍ତ ହେବାରୁ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାକୁ ମରୁଡ଼ି ଘୋଷଣା କରିଥିଲେ। ପ୍ରତି ଗାଁରେ ରାଜସ୍ବ ବିଭାଗ ଓ କୃଷି ବିଭାଗ କର୍ମଚାରୀ ଯାଇ କ୍ରପ କଟିଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ କିଛି ମାସ ତଳେ ବୀମା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଗାଁ ଓ ଚାଷୀଙ୍କ ତାଲିକା ଲ୍ୟାମ୍ପକୁ ଆସିଥିଲା । ସେଥିରୁ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକ ଏହି ଦୁଇଟି ପଂଚାୟତ ଚାଷୀଙ୍କ ତାଲିକାରେ ନାମ ନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ସେହିଭଳି ତେନ୍ତୁଳି ଖୁଣ୍ଟି ଲ୍ୟାମ୍ପ ଅଧୀନରେ ୭ ଟି ପଞ୍ଚାୟତ ଥିବାବେଳେ କେବଳ ୪ଟି ପଞ୍ଚାୟତକୁ କୃଷି ବୀମାରେ ସାମିଲ କରାଯାଇ ଆଉ ୩ଟି ପଞ୍ଚାୟତକୁ ବାଦ ଦିଆଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ବାଦ ପଡ଼ିଥିବା ପଞ୍ଚାୟତକୁ କୃଷି ବୀମା ଯୋଜନାରେ ସାମିଲ କରିବାକୁ ଚାଷୀ ଦାବି କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ