ନବରଙ୍ଗପୁର: ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ବେଲଗୁଡ଼ା ଗ୍ରାମର ଚାଷୀ ସଦନ ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଚାଷୀ ସଦନ ନିଜ ଜମି ସହିତ ଭାଗ ଚାଷ କରି ଧାନ ଚାଷ କରିଥିଲେ । ତେବେ ଧାନ ଫସଲରେ ଚକଡା ପୋକ ଲାଗି ଅମଳ କମି ଯାଇଥିବାରୁ କିଭଳି ସାହୁକାର ଋଣ ସୁଝିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ସଦନ । ଶେଷରେ ଋଣ ଭାର ସୁଝିବା ଚିନ୍ତାରେ ବିଷ ପିଇଥିଲେ ।
ବିଷ ପାନ ପରେ ପ୍ରଥମ ତାଙ୍କୁ ଗୁରୁତର ଅବସ୍ଥାରେ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଫସଲ ହାନୀ ଓ ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ପରିବାର ଲୋକ ଓ ଗାଁ ଲୋକ ସହିତ ଆଲୋଚନା କରି ଏହା ଚାଷୀ ଆତ୍ମହତ୍ୟା ବୋଲି ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ