ନବରଙ୍ଗପୁର : ବିନା କାହାର ସହାୟତାରେ ୟୁଟ୍ୟୁବରୁ ଦେଖି ୨ ଏକର ଜମିରେ ଡ୍ରାଗନ ଫ୍ରୁଟ (ଫଳ) ଚାଷ କରି ସଫଳ ହୋଇଛନ୍ତି ଚାଷୀ । ଏପରି ନୂଆ ଧରଣର ଡ୍ରାଗନ୍ ଫ୍ରୁଟ୍ ଫଳ ଦେଖିବାକୁ ମିଳିଛି ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗୁଡା ପଞ୍ଚାୟତର ଡେଙ୍ଗାଗୁଡା ଗ୍ରାମରେ । ନିଜେ ସ୍ବାବଲମ୍ବୀ ହେବାସହ ଅନ୍ୟଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି ନବରଙ୍ଗପୁରର ଚାଷୀ ସୁଧାଂଶୁ ପାଢ଼ୀ ଓ ଆଦିତ୍ୟ ଦାରା । ନବରଙ୍ଗପୁର ଜିଲ୍ଲାରେ ଡ୍ରାଗନ ଚାଷ ପାଇଁ ଜଳବାୟୁ ଅନୂକଳ ରହିଛି ।
ଦୁହେଁ, ନିଜର ୨ ଏକର ଜମିରେ କରିଛନ୍ତି ଡ୍ରାଗନ ଫ୍ରୁଟ ଚାଷ । ୟୁଟ୍ୟୁବରୁ ଦେଖି ପ୍ରେରଣା ପାଇ ଏହି ଚାଷ କରିଛନ୍ତି । ଏଥିପାଇଁ ସୁଧାଂଶୁ ଅନଲାଇନ ମାଧ୍ୟମରେ ଇସ୍ରାଏଲରୁ ୪ ହଜାର ଚାରା ମଗାଇଥିଲେ ଯେଉଁଠି ଗୋଟିଏ ଚାରାର ମୂଲ୍ୟ ଥିଲା ୪୦ ଟଙ୍କା । ଇସ୍ରାଏଲରୁ ୪ ହଜାର ଚାରା ଅହମ୍ମଦାବାଦକୁ ଆସିଲା । ଅହମ୍ମଦାବାଦରୁ ନବରଙ୍ଗପୁରରେ ଚାରା ପହଞ୍ଚିବା ପରେ ଗତ ବର୍ଷ ନିଜର ୨ ଏକର ଜମିରେ ଚାରା ରୋପଣ କରିଥିଲେ । ଗଛ ବଢ଼ିବା ପାଇଁ ଯେଉଁ ଟ୍ରେଞ୍ଚ ଆବଶ୍ୟକ ରହିଛି ତାହା ବି ଗୁଜରାଟରୁ ମଗାଇଥିଲେ ।
ଜଣେ ଚାଷୀଙ୍କ କହିବା ମୁତାବକ, "ଏହି ଗଛ, ୪ ବର୍ଷରୁ ଭଲ ଫଳ ଦେବ । ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗଛରୁ ଫଳ ମିଳିବ । ଡ୍ରାଗନ ଫ୍ରୁଟରେ ବୁନ୍ଦା ଜଳସେଚନ କରାଯାଇଛି । ଗୋଟିଏ ଗଛରୁ ଗୋଟିଏ ସିଜିନରେ ୨୫ ରୁ ୩୦ ଟି ଫଳ ଫଳିଥାଏ । ଗୋଟିଏ ଫଳର ଓଜନ ପ୍ରାୟ ୪୦୦ ଗ୍ରାମ ରହିବ । ଚାରା ରୋପଣର ପ୍ରଥମ ବର୍ଷ ଗଛରେ ଯେଉଁ ଫୁଲ ଓ ଫଳ ଫୁଟିଥିଲା ସେ ଗୁଡିକୁ ବାହାର କରିଦିଆଗଲା । ଚଳିତ ବର୍ଷ ୨ୟ ବର୍ଷ ହୋଇଥିବା ବେଳେ ଏହି ବର୍ଷ ମଧ୍ୟ ବହୁ ଗଛରୁ ଫୁଲ ଓ ଫଳ ବାହାର କରିଦିଆଯାଇଛି । ତଥାପି ପରୀକ୍ଷା ମୂଳକ ଭାବେ କିଛି ଗଛରେ ଫଳ ରଖାଯାଇଛି । ଏବେ ଗୋଟିଏ ଗୋଟିଏ ଗଛରେ ୪ଟି ଲେଖାଏଁ ଫଳ ଆସିଛି ।"
ଡ୍ରାଗନ ଫଳ ଏକ ଲତା ଯାତୀୟ ଗଛ । ଏହି ଫଳରେ ଭିଟାମିନ୍, ମିନେରାଲ୍, ଫାଇବର ଓ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଥାଏ। ଏହା ଦେଖିବାକୁ ଯେପରି ସୁନ୍ଦର ସେପରି ସୁସ୍ବାଦୁ ମଧ୍ୟ । ଏହାର ପୌଷ୍ଟିକତା ଗୁଣ ଯୋଗୁଁ ବ୍ୟବସାୟିକ ଭିତ୍ତିରେ ଚାଷ ଆରମ୍ଭ ହୋଇଛି । ୧ ଏକର ଚାଷ ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଭଲ ଚାଷ ହୁଏ ତେବେ ୩ ବର୍ଷ ପରେ ବାର୍ଷିକ ଏକର ପିଛା ୨ରୁ ୩ ଲକ୍ଷ ଟଙ୍କା ଆୟ ହୋଇଥାଏ ।
ଡ୍ରାଗନ ଫ୍ରୁଟର ୩ ପ୍ରକାର ଦର ରହିଛି । ପ୍ରଥମ ଗ୍ରେଡ୍ ଫଳର କିଲୋ ପିଛା ପ୍ରାୟ ୭ ଶହରୁ ୮ ଶହ ଟଙ୍କା ରହିଛି । ନବରଙ୍ଗପୁରର ଏହି ଫଳର ବ୍ୟବହାର ସଂକ୍ରାନ୍ତରେ କମ ଲୋକେ ଜାଣିଛନ୍ତି କିନ୍ତୁ ପୋଡଶୀ ଛତିଶଗଡ ରେ ଏହାର ଚାହିଦା ରହିଛି । ଜଗଦଲପୁର ରେ ଏହି ଫଳର ଖୁବ୍ ଚାହିଦା ରହିଥିବାରୁ ବିକ୍ରି ବଟାର ସମସ୍ୟା ରହିବ ନାହିଁ ।
ଲାଲ ଓ ଧଳା ୨ଟି ରଙ୍ଗର ଡ୍ରାଗନ ଫଳ ରହିଥିବା ବେଳେ ସେ ନାଲି ରଂଗର ଫଳ ଚାଷ କରିଛନ୍ତି । ବିଦେଶୀ ଫଳର ସଫଳ ରୂପାୟନ ହୋଇଥିବା ଯୋଗୁଁ ଜିଲ୍ଲା ଅରମାସ ତରଫରୁ ଏହି ଫଳର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବାର ପ୍ରତିଶୃତି ଦେଇଛନ୍ତି । ବର୍ତ୍ତମାନ ରିଲାଏନ୍ସ ଫ୍ରେସକୁ ଗୋଟାକୁ 100 ଟଙ୍କା ହିସାବ ରେ ବିକ୍ରି ମଧ୍ୟ କରାଯାଉଛି l
ଏହା ଦିର୍ଘ ବର୍ଷ ଧରି ଆୟ ଦେଉଥିବା ଏବଂ ଏହା ଏକ ଲାଭଜନକ ଫସଲ ହୋଇଥିବାରୁ ଯଦି ସରକାରୀ ପ୍ରୋତ୍ସାହନ ମିଳେ ତେବେ ଜିଲ୍ଲାରେ ଚାଷୀଙ୍କ ଆୟ ବଢ଼ିପାରନ୍ତା ବୋଲି କହିଛନ୍ତି ଉଭୟ ଚାଷୀ ।
ଇଟିଭି ଭାରତ, ନବରଙ୍ଗପୁର