ନବରଙ୍ଗପୁର: ସ୍ବାସ୍ଥ୍ୟ ବିଭାଗର ସ୍ଥିତି ଖରାପ । ଏକଥା ଆମେ ନୁହେଁ କହୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତାହା ପୁଣି ସରକାରୀ ଦସ୍ତାବିଜ ଆଧାରରେ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଲାଗି ସର୍ବଦା ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଡାକ୍ତର ଅଭାବ ଏବେ ସ୍ବାସ୍ଥ୍ୟ ବିଭାଗର ନିଦ ହଜେଇ ଦେଇଛି ।
ଭଲ ଭାବେ ଦେଖନ୍ତୁ ଜିଲ୍ଲାର ଗୁମାଗୁଡା ଗାଁରେ ଥିବା ଡାକ୍ତରଖାନାର ଅବସ୍ଥା । ଯେଉଁଠି ମୁଖ୍ୟ ଫାଟକ ଖୋଲା ପଡିଥିବାବେଳେ ଭିତରେ ଝୁଲୁଛି ତାଲା । ସମାନ ଅବସ୍ଥା ଅଞ୍ଚଳଗୁମା ସ୍ୱାସ୍ଥ୍ୟକେନ୍ଦ୍ରର । ଏଠି ଡାକ୍ତର ତ ନିଯୁକ୍ତି ପାଇଛନ୍ତି ହେଲେ ଫାର୍ମାସିଷ୍ଟ ଭରସାରେ ଚାଲିଛି ଡାକ୍ତରଖାନା । ଏଠାରେ ହସ୍ପିଟାଲ ରହିଛି ହେଲେ ରୋଗୀ ଚିକିତ୍ସା ପାଇଁ ଉନ୍ନତମାନର ଚିକିତ୍ସା ସାମଗ୍ରୀ କେଉଁଠି ନାହିଁ ତ ଆଉ କେଉଁଠି ଡାକ୍ତରଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ତା' ଉପରେ ଗମନାଗମନର ଅସୁବିଧା...ଏହାହିଁ କାରଣ ଯେ ଏଠାରେ ଡାକ୍ତର ଆସନ୍ତି ନାହିଁ ଆଉ ଯେଉଁମାନେ ଆସନ୍ତି ସେମାନେ ତିଷ୍ଠନ୍ତି ନାହିଁ । ଫଳରେ ରୋଗୀ ସ୍ବାସ୍ଥ୍ୟ ସେବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ଦୂର ସ୍ଥାନ କୋରାପୁଟ, ବିଶାଖାପାଟଣା ଓ ପଡୋଶୀ ଛତିଶଗଡ ଯିବାକୁ ବାଧ୍ୟ ହେଉଛନ୍ତି । ଆଉ ଆମ୍ବୁଲାନ୍ସ ସେବା କଥା ନକହିବା ଭଲ । ଅଧିକାଂଶ ଆମ୍ବୁଲାନ୍ସ ଅଚଳାବସ୍ଥାରେ ।
ଜିଲ୍ଲାରେ ମୁଖ୍ୟ ଡାକ୍ତରଖାନା ଓ ସବ ଡିଭିଜନାଲ ଡାକ୍ତରଖାନା ଗୋଟିଏ ଲେଖାଏଁ ଥିବା ବେଳେ ପିଏଚସି 10ଟି ଓ ସିଏଚସି 41ଟି ରହିଛି । ଆଉ ସେହି ଅନୁସାରେ ଜିଲ୍ଲାରେ 264 ଡାକ୍ତର ରହିବା କଥା, ହେଲେ ଅଛନ୍ତି 98 ଡାକ୍ତର । ଜିଲ୍ଲାବାସୀ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ । ବରଂ ଡାକ୍ତର ଅଭାବ ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁହାର, କୁପୋଷଣ, ପୃଷ୍ଟିହୀନତା, କୁପୋଷଣ ଭଳି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଆଉ ଲୋକେ ଅନ୍ଧବିଶ୍ବାସର ଶିକାର ହେଉଛନ୍ତି । ସେପଟେ ଡାକ୍ତର ଅଭାବ କାରଣରୁ ଫାର୍ମାସିଷ୍ଟ, ନର୍ସ, ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଡାକ୍ତରଖାନା ଚାଲୁଥିବା କହୁଛନ୍ତି ସିଡିଏମଓ । କମ ସଂଖ୍ୟକ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସମ୍ଭବପର ହେଉନଥିବା ବେଳେ ଉପାୟ କି ସମାଧାନ କିଛି ନଥିବା ମଧ୍ୟ କହିଛନ୍ତି ।
ସରକାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନବରଙ୍ଗପୁରର ଏ ଅବ୍ୟବସ୍ଥା ସରକାରଙ୍କ ଦକ୍ଷତା ଓ ଦୂରଦୃଷ୍ଟି ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ