ନବରଙ୍ଗପୁର: ଜମାଟଙ୍କା ଫେରସ୍ତ ପାଇବା ପାଇଁ ତାତିଲେ ଜମାକାରୀ । ନବରଙ୍ଗପୁର, କୋଡିଙ୍ଗାର ଅଞ୍ଚଳର ଶତାଧିକ ଲୋକେ ମାଇକ୍ରୋଫାଇନାନ୍ସ ନାମକ ଚିଟ୍ଫଣ୍ଡ କମ୍ପାନୀ ବିରୋଧରେ ଏକାଠି ହୋଇଛନ୍ତି । ଏହି କମ୍ପାନୀ 3 ବର୍ଷ ତଳେ ଏ ଅଞ୍ଚଳର ଶତାଧିକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜମା ବାବଦକୁ ନେଇଥିଲା । ହେଲେ ପରେ ଏହି ସଂସ୍ଥାର କାର୍ଯ୍ୟାଳୟ ହଠାତ ବନ୍ଦ ହୋଇଯାଇଥିଲା । ଏଥିରେ ଟଙ୍କା ଜମା କରି ଥିବା ଜମାକାରୀ ଏହି ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ଟଙ୍କା ଫେରାଇବାକୁ କହିଥିଲେ । କୌଣସି ଜମାକାରୀ ନିଜର ଟଙ୍କା ଫେରି ପାଇନଥିଲେ ।
ଏନେଇ ମାଇକ୍ରୋଫାଇନ୍ସର ଜମାକର୍ତ୍ତା କୋଷାଗୁମୁଡା ଓ କୋଡିଙ୍ଗା ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ମାଇକ୍ରୋଫାଇନ୍ସ କମ୍ପାନୀ ବିରୋଧରେ ମାମଲା ରୁଜୁ କରି ନାହିଁ । ଏନେଇ ବୁଧବାର କୋଡିଙ୍ଗା ଅଞ୍ଚଳର ଜମାକାରୀ ଏକାଠି ହୋଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ, ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି । ଏପରି ନବରଙ୍ଗପୁର ଏସପି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବାକୁ ନିଷ୍ପତି ନେଇଛନ୍ତି ଜମାକାରୀ । ଯଦି ଟଙ୍କା ନମିଳେ, ରାଜରାସ୍ତାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ