ନବରଙ୍ଗପୁର: ତିନି ଦିନ ତଳେ ମାଟିରେ ପୋତା ହୋଇଥିବା ଶବକୁ ଜବତ କରିଛି ପୋଲିସ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ପଞ୍ଚାୟତର ପଦିଆଗୁଡ଼ା ଗ୍ରାମରେ ମାଟିରେ ପୋତା ଶବକୁ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି କିଶୋର ମାଝୀ । ତାଙ୍କର ପ୍ରଥମେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା କୁହାଯାଉଥିଲା । ମାତ୍ର ପରେ ମୃତକଙ୍କ ଭଉଣୀ ଆଣିଥିଲେ ହତ୍ୟା ଅଭିଯୋଗ । ଯାହାକୁ ନେଇ ପୋଲିସ ଆରମ୍ଭ କରିଛି ତଦନ୍ତ।
ସୂଚନା ଅନୁଯାୟୀ, ମୃତ କିଶୋର ଓ ତାଙ୍କ ଭଉଣୀ କିସନ୍ତି ମାଝୀ ପାଞ୍ଚ ବର୍ଷ ହେବ ବାପା ମା ଛେଉଣ୍ଡ ଅଟନ୍ତି। ବର୍ତ୍ତମାନ ସେମାନେ ତାଙ୍କ ନିଜ ବଡ଼ ବାପାଙ୍କ ଘରେ ରହି ଆସୁଥିଲେ। ଗତ ମଙ୍ଗଳବାର ଦିନ ହଠାତ କିଶୋରଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ବଡ଼ ବାପା ରାମ ମାଝୀ ଗାଁ ଲୋକଙ୍କୁ ସାପ କାମୁଡ଼ାରେ କିଶୋରଙ୍କ ମୃତ୍ୟୁ ହୋଇଥିବା କହି ପୋଲିସକୁ ଖବର ଦେଇନଥିଲେ ।
ଏହାସହ ସେ ଗ୍ରାମବାସୀଙ୍କ ସହ ମିଶି ତାଙ୍କର ଶବ ସତ୍କାର କରିଥିଲେ। ଏହା ପରଦିନ ମୃତ କିଶୋରଙ୍କ ଭଉଣୀ କିସନ୍ତି ମାଝୀ ତାଙ୍କ ଭାଇକୁ ରାମ ମାଝୀ ଓ ତାଙ୍କ ତିନି ପୁଅ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଉମରକୋଟ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଅନୁଯାୟୀ ଉମରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ଉମେଶ ସାହୁ ଓ ତହସିଲଦାର ଧର୍ମରାଜ ମାଝୀ ପୋତା ଯାଇଥିବା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ