ନବରଙ୍ଗପୁର: ମାନବିକତା ଦେଖାଇଲେ ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ସଡକ ଦୁର୍ଘଟଣାଗ୍ରସ୍ତ ତିନି ବାଇକ ଆରୋହୀଙ୍କୁ ନିଜ ଗାଡିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଲେ ବିଧାୟକ । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ପୂର୍ବରୁ ଏହିପରି ଜନସେବା କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିଲେ ବିଧାୟକ ମନୋହର ରନ୍ଧାରୀ ।
ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଯାଉଥିବାବେଳେ ରାସ୍ତାରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ପାଇଥିଲେ ବିଧାୟକ । ବାଇକ ଆରୋହୀ ତିନି ଜଣ ଦୁର୍ଘଟଣାର ଶିକାର ହୋଇ ସାହାଯ୍ୟ ଅପେକ୍ଷାରେ ଥିଲେ । ଏହି ସମୟରେ ରାସ୍ତା ଦେଇ ଯାଉଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନଜର ତିନି ବାଇକ ଆରୋହୀଙ୍କ ଉପରେ ପଡ଼ିବା ପରେ କାଳ ବିଳମ୍ବ ନ କରି ସେମାନଙ୍କୁ ନିଜ ଗାଡିରେ ବସାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଫଳରେ ଏକ ନିଶ୍ଚିତ ବଡ ଅଘଟଣ ଟଳି ଯାଇଥିଲା । ତିନି ବାଇକ ଆରୋହୀ ପୂର୍ଣିମା, ରାଜେନ୍ଦ୍ର, ଗୁପ୍ତୀ ବିଷୋୟୀ ବୋରିଗୁମାରୁ ଡାବୁଗାଁ ଉମରାହାଣ୍ଡି ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା। ଡାକ୍ତରଖାନାରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଥିଲେ ବିଧାୟକ ।
ପୂର୍ବରୁ ଜଣେ ଗର୍ଭବତୀଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ 6 କିମି କାନ୍ଧରେ ବୋହି ମେଡିକାଲ ପହଞ୍ଚାଇଥିଲେ । ଆଉ ଏବେ ପୁଣି ଏକ ମହାନ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ରାଜନୀତିରୁ ଉର୍ଦ୍ଧ୍ବରେ ରହି ସଦାସର୍ବଦା ନିଜ ପରୋପକାର ଓ ଉଦାର ମାନବିକତାର କାର୍ଯ୍ୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଥିବା ବିଧାୟକ ମନୋହର ରନ୍ଧାରୀ ପୁଣି ଚର୍ଚ୍ଚାର ପରିଧି ଭିତରକୁ ଆସିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର