ନବରଙ୍ଗପୁର: ରାଜ୍ୟରେ ଥମୁନି ଚାଷୀ ଆତ୍ମହତ୍ୟା। ବାରମ୍ବାର ବିଭିନ୍ନ ଜିଲ୍ଲାରୁ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସୁଛି। ଫସଲ କ୍ଷତି ଓ ବ୍ୟାଙ୍କ ଋଣ ଶୁଝିନପାରି ମୃତ୍ୟୁର ପଥକୁ ବାଝି ନେଉଛି ନୀରିହ ଚାଷୀ। ବର୍ତ୍ତମାନ ସେମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଖୁଟୁ ଗୁଡ଼ା ଗ୍ରାମରେ । ଚାଷରେ କ୍ଷତି ଆଶଙ୍କା କରି ଏବଂ ବ୍ୟାଙ୍କ୍ ଓ ସାହୁକାରଙ୍କ ଠାରୁ ଆଣିଥିବା ଋଣ ଶୁଝିନପାରିବା ଆଶଙ୍କାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଚାଷୀ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖୁତୁଗୁଡ଼ା ଗ୍ରାମର ବୁଦୁରୁ ଗୌଡ । ବୁଦୁରୁ ନିଜ ଜମି ନିକଟରେ ଥିବା କୁଡ଼ିଆ ରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ସଦସ୍ୟ । ବୁଦୁରୁ ୮ ଏକର ମକା, ୩ ଏକର ଧାନ ସହ କିଛି ପନିପରିବା ଚାଷ କରିଥିଲେ ।
ତେବେ ପ୍ରବଳ ବର୍ଷାରେ ମକା ଗଛ ସବୁ ମାଟିରେ ଶୋଇ ପଡ଼ିବା ସହ ସହ ସେଥିରେ ଗଜା ହେଇଯାଇଛି । ସେହିପରି ଭେଣ୍ଡି ଚାଷ ସବୁ ଅତ୍ୟଧିକ ବର୍ଷା ଯୋଗୁଁ ପଚି ନଷ୍ଟ ହେବା ସହ ଶୁଖି ଯାଇଛି ଏବଂ ତିନି ଏକର ଧାନ ଚାଷ ସବୁ ନଷ୍ଟ ହୋଇଯାଇଛି।
ବୁଦୁରୁ ବ୍ୟାଙ୍କରୁ ଏବଂ ସାହୁକାର ଠାରୁ ଋଣ ଆଣିବା ସହ ବିହନ ଓ ସାର ବି ଧାର ଆଣି ଚାଷ କରିଥିଲେ । ତେଣୁ ଫସଲ ଖରାପ ହୋଇଯିବାରୁ ଆଣିଥିବା ଋଣ ଶୁଝିବା ଆଶଙ୍କାରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ଓ ଭାଇ । ଅନ୍ୟପକ୍ଷେ ଗତ ଏକ ସପ୍ତାହ ପୂର୍ବରୁ ବୁଦୁରୁଙ୍କ ମାଁ ଓ ତିନିଦିନ ପୂର୍ବରୁ ଭିନ୍ନକ୍ଷମ ସାନ ଭାଇଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ଦଶାହ କାର୍ଯ୍ୟ କିପରି ତୁଲାଇବେ ସେ ଚିନ୍ତା ବି ବୁଦୁରୁଙ୍କୁ ଘାରିଥିଲା । ତେଣୁ ଅତ୍ୟଧିକ ଚିନ୍ତା ଯୋଗୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ