ନବରଙ୍ଗପୁର: ପୁଅର ବୟାନରେ ବାପାକୁ ଜେଲ ଦଣ୍ଡାଦେଶ । ମାତୃହନ୍ତା ବାପାକୁ 10 ବର୍ଷ ସଶ୍ରମ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜେଜେମାଆ ହତ୍ୟାକାଣ୍ଡରେ ମୁଖ୍ୟ ସାକ୍ଷୀ ସାଜି ବାପା ବିରୋଧରେ ବୟାନ ଦେଲା ପୁଅ । ବାପାକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ 5 ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରାଜଜ କୋର୍ଟ ।
ଜେଜେମାଙ୍କ ହତ୍ୟାକାଣ୍ଡରେ ନାତି ସାଜିଲା ମୁଖ୍ୟ ସାକ୍ଷୀ । ନାତିଙ୍କ ସାକ୍ଷୀ ଯାହାଙ୍କ ବିରୋଧରେ ଥିଲା, ସେ ହେଉଛନ୍ତି ତାର ନିଜ ଜନ୍ମ କଲା ବାପା । କୋର୍ଟରେ ସାକ୍ଷ୍ୟ ଗ୍ରହଣ ସମୟରେ ତାର ଜେଜେମାଆ ହତ୍ୟାକାଣ୍ଡରେ ନିଜ ବାପାଙ୍କ ସଂପୃକ୍ତି ସଂପର୍କରେ ସେ ଖୋଲାଖୋଲି ପ୍ରକାଶ କରିଥିଲେ । ଫଳରେ, ଅଭିଯୁକ୍ତ ବାପାଙ୍କୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ 5 ହଜାର ଟଙ୍କା ଜରିମାନାର ରାୟ ଶୁଣାଇଛନ୍ତି କୋର୍ଟ ।
କଣ ଥିଲା ଘଟଣା: ନବରଙ୍ଗପୁର ସହର ସ୍ଥିତ ଦାରୁବନ୍ଧ ସାହିରେ ରହୁଥିଲେ ଅଭିଯୁକ୍ତ ନବୀନ ଅମାନତ୍ୟ, ତାର ପୁଅ ରାଜ ଅମାନତ୍ୟ ଓ ଅଭିଯୁକ୍ତର ମାଆ ଜେମା ଅମାନତ୍ୟ । କୁଲିକାମ କରି ଜେଜେମାଆ ନାତି ରାଜକୁ ସ୍ନେହଶ୍ରଦ୍ଧା ସହ ଲାଳନ ପାଳନ କରୁଥିଲେ । ହେଲେ ପୁଅ ନବୀନ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ଝଗଡା କରୁଥିଲେ । ବୁଢୀ ମାଆ ଓ ପୁଅ ଭୟରେ ଅନ୍ୟ ଘରେ ଲୁଚିବାକୁ ଚାଲିଯାଉଥିଲେ । ଦିନେ ମଦ ନିଶାରେ ଚୁର ହୋଇଥିବା ପୁଅ ନଵୀନ ମାଆର ଭତ୍ତା ଟଙ୍କା ପାଇଁ ଗଣ୍ଡଗୋଳ କରିଥିଲା । ଗତବର୍ଷ 19.03.2022 ତାରିଖ ହୋଲି ଦିନ ନିଶାଶକ୍ତ ହୋଇ ନବୀନ ଘରକୁ ଆସି ମାଆକୁ ଭତ୍ତା ଟଙ୍କା ଦେବାକୁ ଗଣ୍ଡଗୋଳ କରିଥିଲା । ଟଙ୍କା ଦେବାକୁ ମନା କରିବାରୁ ନବୀନ ରାଗରେ ମାଆକୁ ମାଡ଼ମାରି ରକ୍ତାକ୍ତ କରି ଦେଇଥିଲେ ।
ଖବର ଶୁଣି ନାତି ତଥା ନବୀନର ପୁଅ ରାଜ ଘରକୁ ଆସି ଜେଜେ ମାଆ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସ ଡାକି ବାକୁ ଗଲା ବେଳେ ଅଭିଯୁକ୍ତ ବାପା ନବୀନ ପୁଣି ମାଆକୁ ମାଡ଼ ମାରି ତାକୁ ହତ୍ୟା କରିଥିଲେ । ଯାହାକୁ ନାତି ତଥା ଅଭିଯୁକ୍ତର ପୁଅ ଦେଖିଥିଲା । ତୁରନ୍ତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋଲିସକୁ ଖବର ଦିଆଗଲା ପରେ ପୋଲିସ ଘଟଣା ସ୍ଥଳକୁ ଆସି ଅଭିଯୁକ୍ତ ନବୀନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ଚାଲାଣ ପରେ କେସ ନମ୍ବର 37/22 ଅନୁସାରେ ମାମଲା ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ବିଚାରାଧୀନ ରହିଥିଲା ।
ହତ୍ୟା ଭଳି ସଙ୍ଗୀନ ମାମଲାରେ ନାତି ସାକ୍ଷୀ ହୋଇ ବାପାଙ୍କ ବିରୋଧରେ ବୟାନ ଦେଇଥିଲା । ଫଳରେ କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ଫଇସଲା ଶୁଣାଇଛନ୍ତି କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଏହାର ଶୁଣାଣି କାରି ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ 5 ହଜାର ଟଙ୍କା ଜରିମାନା କରି ଦଣ୍ଡାଦେଶ ଦେଇଛନ୍ତି । ଯଦି ଟଙ୍କା ଅନାଦେୟ ହୁଏ ତାହେଲେ ପୁଣି 6ମାସ ଜେଲ ଦଣ୍ଡ ହେବ ବୋଲି ରାୟ ଦେଇଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର