ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକୋଟ ପଞ୍ଚାୟତ ପୂଜାରୀଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ପୁଅକୁ ନେଇ ଚିନ୍ତାରେ ପରିବାର l ହୀରନ ଭତରାଙ୍କ ସ୍ତ୍ରୀ ଅଞ୍ଜନା, ପୁଅ ସୋମେଶ ଓ ଝିଅ ପଲ୍ଲବୀକୁ ନେଇ ଏକ ପରିବାର l ହେଲେ ଏହି ପରିବାରକୁ କାହା ନଜର ଲାଗିଲା କେଜାଣି ପୁଅକୁ ଜଣ୍ଡିସ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାରକୁ ଦୁଃଖ ମାଡି ଆସିଲା l
ବୟସ ବଡିବା ସହ ପୁଅ ଭିନ୍ନକ୍ଷମ ହେବାର ଲକ୍ଷଣ ଦେଖା ଯାଉଥିବା ହେତୁ ପୁଅକୁ ନବରଙ୍ଗପୁର, ଉମରକୋଟ, କୋରାପୁଟ ଚିକିତ୍ସାଳୟ ଗୁଡିକରେ ନେଇ ପରିବାର ଲୋକ ଚିକିତ୍ସା କରାଇଥିଲେ l ରୋଗ ଧୀରେ ଧୀରେ ଭଲ ହୋଇଯିବ ବୋଲି ଡାକ୍ତର ଆଶ୍ୱାସନା ଦେବା ପରେ ଘରକୁ ଫେରିଥିଲେ l ହୀରନ୍ ନିଜର ୨ ଏକର ଜମିରେ ଚାଷ କରିବା ସହ କୁଲି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି l ଗରିବ ହିରନ ପୁଅର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଚିନ୍ତାରେ ଥିବାବେଳେ ଅର୍ଥ ଅଭାବରୁ ଏବେ ଅନ୍ୟ ଉପାୟ କିଛି ନ ପାଇ ହାତ ବାନ୍ଧି ବସିଛନ୍ତି l ଏଣୁ ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ପୁଅର ଚିକିତ୍ସା କରିବା ସକାଶେ ସହଯୋଗ ଓ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି l
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ