ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗ୍ରାମପଞ୍ଚାୟତ ସଦର ମହକୁମା ଭତରା ସାହିରେ ଘଟିଛି ଦୁଃଖଦ ଘଟଣା । ଭତରା ସାହି କାଜୁ ବାଡ଼ ନିକଟସ୍ଥ ଏକ ଖଳାରେ ନିଆଁ ଲାଗି ଧାନ ଗଦା ପାଉଁଶ ହୋଇଯାଇଛି । ଏନେଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ସେପଟେ ଧାନ ବିକ୍ରି କରି ଋଣ ପରିଶୋଧ କରିବା ପାଇଁ ଯୋଜନା କରିଥିବା ଚାଷୀ ଏବେ ସର୍ବସ ହରାଇ ମୁଣ୍ଡରେ ହାତ ଦେଇଛି ।
ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ଯଦୁ ମାଝୀ ଚଳିତ ବର୍ଷ ୩ ଏକର ଜମିରେ ଧାନ ଚାଷ କରିଥିଲେ । ଗତ କିଛି ତଳେ ସେ ଧାନ କାଟି ଚନ୍ଦ୍ରପୁର ଭତରା ସାହି କାଜୁବାଡ଼ ନିକଟସ୍ଥ ଏକ ଖଳାରେ ଗଦା କରି ରଖିଥିଲେ । ତେବେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଏହା ଦେଖିବା ପରେ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ । ପରେ ନିଆଁ ଆୟତ୍ତ ନ ହେବାରୁ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି ସମୟ ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ହେଲେ ସେତେବେଳକୁ ଧାନ ଗଦା ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇ ଯାଇଥିଲା । ଯଦୁ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଧାନରେ ନିଆଁ ଲାଗି ନଷ୍ଟ ହୋଇଯିବାରୁ ପରିବାର ଚଲେଇବା ନେଇ ଏବେ ଚିନ୍ତାରେ ପଡିଛନ୍ତି । ସେ ଋଣ କରି ଚାଷ କରିଥିବାରୁ ଋଣ କିଭଳି ପରିଶୋଧ ହେବ ସେ ନେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନିଆଁ ଲାଗି ପ୍ରାୟ ୧.୫୦ ଲକ୍ଷ ଟଙ୍କାରୁ ଅଧିକ ଧାନ ପୋଡ଼ି ଯାଇଥିବା କହିଥିଲେ କ୍ଷୁଦ୍ର ଚାଷୀ ଯଦୁ । ଏନେଇ ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ଯଦୁକୁ କ୍ଷତିପୂରଣ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ନବରଙ୍ଗପୁର, ଇଟିଭି ଭାରତ