ନବରଙ୍ଗପୁର: ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରବିବାର ଜିଲ୍ଲାରୁ ୭୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା ୧୪୮୩ରେ ପହଞ୍ଚିଛି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ରବିବାର ଚିହ୍ନଟ ହୋଇଥିବା ୭୮ ଜଣଙ୍କ ମଧ୍ୟରୁ ନନ୍ଦାହାଣ୍ଡି ବ୍ଲକରୁ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ନନ୍ଦାହାଣ୍ଡିରୁ ୧୮ ଜଣ ଚିହ୍ନଟ କରାଯାଇଥିବାବେଳେ ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୧୫ ଜଣ, ଉମରକୋଟ ମ୍ୟୁନିସିପାଲିଟିର ୧୭ଜଣ , ଉମରକୋଟ ବ୍ଲକରୁ ୫, ଚନ୍ଦାହାଣ୍ଡି ବ୍ଲକରୁ ୧, କୋଶାଗୁମୁଡ଼ା ବ୍ଲକରୁ ୩ ଜଣ, ଝରିଗାଁ ବ୍ଲକରୁ ୧, ପାପଡାହାଣ୍ଡି ବ୍ଲକରୁ ୭ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ୭ ଜଣ, ଡାବୁଗାଁ ବ୍ଲକରୁ ୨ ଜଣ ଏବଂ ନବରଙ୍ଗପୁରକୁ ଆସିଥିବା କୋରାପୁଟ ଜିଲ୍ଲା କୋଟପାଡ଼ ଓ ବୋରିଗୁମ୍ମା ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।
ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୪୮୩ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୯୯୬ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୪୭୭ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩୪୬ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୮୩୪୯ଟି କୋରୋନା ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ