ନବରଙ୍ଗପୁର: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରୀଙ୍କ ନିଆରା ପ୍ରତିବାଦ । ରାସ୍ତା ଘାଟରେ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ପୋଷ୍ଟର ମାରିବା ସହ ହଷ୍ଟେଲ ଛାଡିଲେ 64 ଅନ୍ତେବାସିନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।
ରାଇଘର ବ୍ଲକରେ ଥିବା ମାଳତୀ ଚୌଧୁରୀ ବାଳିକା ଶିକ୍ଷା ସାଧନ କେନ୍ଦ୍ରର କାର୍ଯ୍ୟରତ ଶିକ୍ଷକ ସମାରୁ ଗଣ୍ଡଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ଅଭିଯୋଗରେ ଅନ୍ୟତ୍ର ବଦଳି କରାଯାଇଛି । ହେଲେ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଛାତ୍ରୀ। ଶିକ୍ଷକଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଛାତ୍ରୀମାନେ ହଷ୍ଟେଲ ଛାଡିବା ସହ ବିଦ୍ୟାଳୟ ପରିସର ଓ ରାସ୍ତା କଡରେ ପୋଷ୍ଟର ମାରିଛନ୍ତି । ଯେଉଁଥରେ ‘ଆମ ହଷ୍ଟେଲର ଝିଅପୁଅ ସମସ୍ତଙ୍କୁ ସମାରୁ ସାର୍ ଦରକାର । ଅଲଗା ସାର୍ ଦରକାର ନାହିଁ’ ବୋଲି ଉଲ୍ଲେଖ ରହିଛି ।
ତେବେ ଉକ୍ତ ବିଦ୍ୟାଳୟର ଅନ୍ତେବାସିନୀଙ୍କୁ ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ବିରୋଧ କରିଛନ୍ତି ଛାତ୍ରୀ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ