ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମରେ 3 ବିରଳ ଗରୁଡ଼ ପକ୍ଷୀଙ୍କ ମୃତଦେହ ଉଦ୍ଧାର । ଏହି ଗରୁଡ଼ ପକ୍ଷୀଗୁଡିକ ଗଛ କୋରଡ଼ରେ ରହିଥିବା ବେଳେ ଉକ୍ତ ଗଛ କଟାଯିବାରୁ ସେମାନଙ୍କ ମୃ୍ତ୍ୟୁ ଘଟିଥିବା ଜଣାପଡି଼ଛି ।
ମିଳିଥିବା ସୂଚନା ଅନୁସାରେ, ମାଝିଗୁଡା ଗ୍ରାମର ଜଣେ ଲୋକ ଘର ତିଆରି କରିବା ପାଇଁ ଗଛ କାଟି ସଫା କରୁଥିବା ବେଳେ ଏହି ଗଛ କୋରଡ଼ରେ ରହିଥିବା 5ଟି ପକ୍ଷୀ ମଧ୍ୟରୁ 3ଟିର ମୃତ୍ୟୁ ଘଟିଛି । ତେବେ ଅନ୍ୟ 2 ପକ୍ଷୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାର ବନ ବିଭାଗକୁ ଖବର ଦେଇଥିଲେ ।
ତେବେ ବନବିଭାଗ କର୍ମଚାରୀ ପକ୍ଷୀଙ୍କୁ ଗଛ କୋରଡ଼ରେ ଛାଡି ଦେଇଛନ୍ତି । ବର୍ତ୍ତମାନ ବାର୍ଡ ଫ୍ଲୁର ଆତଙ୍କ ଥିବାରୁ ନବରଙ୍ଗପୁର ପଶୁ ଚିକିତ୍ସା ଅଧିକାରୀମାନଙ୍କ ଏକ ଟିମ୍ ସେଠାରେ ପହଞ୍ଚିଛନ୍ତି । ଘଟଣାର ତଦନ୍ତ କରିବା ପରେ ପକ୍ଷୀଙ୍କ ରହିବାରୁ ବ୍ୟବସ୍ଥା କରାଯିବ ବୋଲି ଡ଼ିଏଫଓ ସୂଚନା ଦେଇଛନ୍ତି ।
ଗରୁଡ଼ ପକ୍ଷୀ ଭଗବାନ ବିଷ୍ଣୁଙ୍କ ବାହାନ ବୋଲି ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି । ଘଟଣାସ୍ଥଳରେ ଗ୍ରାମବାସୀ ଏହି ପକ୍ଷୀଙ୍କୁ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ 3ଟି ପକ୍ଷୀର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ