ରାଇରଙ୍ଗପୁର: ରାଜରାସ୍ତାରେ ସରକାରଙ୍କ ଉପରେ ଗର୍ଜିଲା ଯୁବ କଂଗ୍ରେସ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କଲା ଯୁବ କଂଗ୍ରେସ । ତେବେ ଶାନ୍ତିପୂର୍ଣ୍ଣ ଭାବରେ ଯୁବ କଂଗ୍ରେସର ବରିଷ୍ଠ ନେତାମାନେ ଧାରଣା ଦେଇଥିଲେ । ଏହିକ୍ରମରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଭାରତୀୟ ଜନତାପାର୍ଟି ଓ ବିଜୁ ଜନତା ଦଳ ଉପରେ ବର୍ଷିଥିଲେ ଯୁବ କଂଗ୍ରେସ ନେତା ।
ଯୁବ କଂଗ୍ରେସ ନେତା ଭୋଜୁହରି ମହାନ୍ତ କହିଛନ୍ତି, ‘‘ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ସେମାନଙ୍କ ଉପରେ ନା ନିର୍ବାଚିତ ପ୍ରତିନିଧି ନା କେନ୍ଦ୍ର ଓ ରାଜ୍ଯ ସରକାର କାହାର ବି ନିଘା ନାହିଁ । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁଠି ବିପର୍ଯ୍ୟସ୍ତ ସ୍ଥିତି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଯେତିକି ଡାକ୍ତର ରହିବା କଥା ସେତିକି ଡାକ୍ତର ଓ ସ୍ପେଶାଲିଷ୍ଟ ଡାକ୍ତର ମଧ୍ୟ ନାହାନ୍ତି । ଫଳରେ ଦୂର ଦୂରାନ୍ତରରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଉତ୍ତମ ଚିକିତ୍ସା ନପାଇ ହଇରାଣ ହେଉଛନ୍ତି । ସାଧାରଣରୁ ସାଧାରଣ ରୋଗ ପାଇଁ ମଧ୍ୟ ରୋଗୀଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ରେଫର କରୁଛନ୍ତି ଡାକ୍ତର ।’’
ସେ ଅହୁରି ମଧ୍ଯ କହିଛନ୍ତି, ‘‘ରାଇରଙ୍ଗପୁର ସ୍ଥିତ ବୀର୍ସାମୁଣ୍ଡା ପାର୍କରେ ପ୍ରବେଶ ପାଇଁ ଧାର୍ଯ୍ୟ ୨୦ ଟଙ୍କା ରଖା ଯାଇଥିବା ବେଳେ ପ୍ରବେଶ ପାଇଁ ୧୦ ଟଙ୍କା ମଧ୍ୟରେ ସିମୀତ ରହିବା ଆବଶ୍ୟକ । ସ୍ଥାନୀୟ ଏନଏସି ମାର୍କେଟର ସୌନ୍ଦର୍ଯ୍ୟକରଣ କରାଯିବାର ଅବଶ୍ୟକତା ରହିଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୂମିହୀନ ଲୋକମାନଙ୍କୁ କେବଳ ଜମି ଅଧିକାରର ପ୍ରମାଣ ପତ୍ର ଦିଆ ଯାଇଛି । ହେଲେ ଜମି କେବେ ମିଳିବ ସେନେଇ ସରକାର ଘୋଷଣା କରି ନାହାନ୍ତି । ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ସରକାର ।ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଗାଁ କୁ ଗାଁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି । ସରକରା ତୁରନ୍ତ ରାସ୍ତାକୁ ନିର୍ମାଣ କରନ୍ତୁ । ’’
ଏହା ମଧ୍ୟ ପଢନ୍ତୁ..ମୋକିମ କଂଗ୍ରେସର, ନଗର ସଭାପତିଙ୍କୁ ବାଣ ମାରିଲା ଯୁବ କଂଗ୍ରେସ
ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଯୁବ କଂଗ୍ରେସ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ ଓ ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଶତପଥୀଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟା ଗୁଡ଼ିକ ର ଯଥାଶୀଘ୍ର ସମାଧାନ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।
ଇଟିଭି ଭାରତ, ମୟୂରଭଞ୍ଜ