ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗ୍ରାମ ଜଙ୍ଗଲରୁ ମିଳିଥିବା ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଯୁବତୀଙ୍କୁ ତାଙ୍କ ପ୍ରେମିକ ତଣ୍ଟି ଚିପି ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ପ୍ରେମିକ ପାଟଣା ଥାନା ଅନ୍ତର୍ଗତ କମେଶ୍ୱରପୁର ଗ୍ରାମର ତପନ ମହାରଣା ବୋଲି ଜଣାପଡିଛି ।
ତନାଘନା ପରେ ପୋଲିସ ଯୁବତୀଙ୍କ ପରିଚୟ ପାଇବାରେ ସଫଳ ହୋଇଥିଲା । ପ୍ରେମ ସମ୍ପର୍କକୁ ନେଇ ବିବାହିତ ପ୍ରେମିକ ତପନ ମହାରଣା ତାକୁ ତଣ୍ଟି ଚିପି ହତ୍ୟା କରିଥିଲା । ଠାକୁରମୁଣ୍ଡା ଥାନା ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକକୁ କେନ୍ଦୁଝରରୁ ଗିରଫ କରିଛି ।
ତପନ ମହାରଣା କେନ୍ଦୁଝର ପାଟଣା ବଜାରରେ ଏକ ଲୁଗା ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରନ୍ତି । ସେ ବିବାହିତ ହୋଇଥିବାବେଳେ ପିଙ୍କି ନାମକ ଯୁବତୀଙ୍କୁ ଭଲ ପାଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ପରେ ପିଙ୍କି ତପନକୁ ବିବାହ ପାଇଁ ଜିଦ ଧରିଥିଲେ । ତପନ ବିବାହିତ ଥିବାରୁ ବିବାହ ପାଇଁ ରାଜି ନଥିଲେ। କିନ୍ତୁ ପରେ ଉଭୟ ବିବାହ ପାଇଁ କଥାବାର୍ତ୍ତା ହୋଇଥିଲେ । ବିବାହ ପାଇଁ ଗତ ୧୮ ତାରିଖରୁ ପିଙ୍କି ତାଙ୍କ ଘରୁ ଟଙ୍କା, ସୁନାଗହଣା ଧରି ତପନ ସହିତ ଫେରାର ହୋଇଯାଇଥିଲେ ।
କରଞ୍ଜିଆ ଦେଇ ଉଭୟ ଠାକୁରମୁଣ୍ଡା ଆସି ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ରାସ୍ତାକୁ ଆସିଥିଲେ । ଖଣ୍ଡବନ୍ଧ ଜଙ୍ଗଲରେ ବିବାହ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ ତପନ ପିଙ୍କି ପିନ୍ଧି ଥିବା ଓଢ଼ଣୀରେ ତାଙ୍କ ବେକକୁ ଚିପି ହତ୍ୟା କରିଥିଲେ । ହତ୍ୟା ପରେ ଜଙ୍ଗଲ ଭିତରେ ମୃତଦେହକୁ ପକାଇ ଫେରାର ହୋଇଯାଇଥିଲେ । ୧୯ ତାରିଖ ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ତପନକୁ ରବିବାର କେନ୍ଦୁଝରରୁ ଗିରଫ କରିଛି । ଠାକୁରମୁଣ୍ଡା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକକୁ ସୋମବାର କୋର୍ଟ ଚାଲାଣ କରିଛି । ଏହାକୁ ନେଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ