ରାଇରଙ୍ଗପୁର: ପ୍ରତି ଓଡ଼ିଆଙ୍କ ଆତ୍ମା ସହ ପଖାଳ ଜଡିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ମଲ୍ଟି ଭିଟାମିନ୍ ଯୁକ୍ତ ପଖାଳର ଉପାଦେୟତାକୁ ବିଶ୍ବ ଦରବାରରେ ପରିଚିତ କରିବା ପ୍ରତେକ ଓଡିଆଙ୍କ ଲକ୍ଷ୍ୟ । ବିଶେଷ ଭାବେ ଖରାଦିନ ଏହି ପଖାଳର ମହତ୍ଵ ଅଧିକ ଥିବାରୁ ପଖାଳ ଦିବସର ବିଶେଷତ୍ବ କୁ ନେଇ ହାଣ୍ଡିଶାଳରୁ ହୋଟେଲ ସବୁଠି ଥାଏ ପଖାଳର ଆସର ଓ ମହକ । ବିଶ୍ବ ପଖାଳ ଦିବସ। ଅବସରରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ସାଂସ୍କୃତିକ ପରିଷଦ ପକ୍ଷରୁ 'ବିଶ୍ବ ପଖାଳ ଦିବସ' ଆୟୋଜନ କରାଯାଇଥିଲା । ଏହାସହ ପଖାଳର ମହତ୍ବ ଏବଂ ଗୁରୁତ୍ବକୁ ନେଇ କଲ୍ୟାଣୀ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ପଖାଳ ହେଉଛି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ । ବିଭିନ୍ନ ପ୍ରକାରର ପଖାଳ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗିଥାଏ । ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପୃକ୍ତ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ ।
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ପଖାଳ ସହିତ ଜିଲ୍ଲାବାସୀଙ୍କ ଖୁବ ନିବିଡ଼ ସମ୍ପର୍କ ରହିଛି । ପ୍ରତ୍ୟେକ ଦିନ ଘରେ ଘରେ ଏଠାରେ ପଖାଳ ଦିବସ ପାଳନ କରାଯାଏ । ପଖାଳ ସହିତ ଆଳୁ ଚକଟା, ସଜନା ଶାଗ ଭଜା, ଆଉ ଗୋଟିଏ କଞ୍ଚା ପିଆଜ ସହିତ କଞ୍ଚା ଲଙ୍କା ଟିଏ ହେଲେ ଲୋକଙ୍କ ଆନନ୍ଦ କହିଲେ ନସରେ । ଗରିବ ଖଟିଖିଆ ଲୋକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ପାଇଁ ପଖାଳ ଏକ ନିଆରା ଖାଦ୍ୟ ।
ତେବେ ରାଇରଙ୍ଗପୁର ସହରରେ ଭାଇଚାରା ବଜାୟ ରଖିବାକୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାମନଘାଟି ସାଂସ୍କୃତିକ ପରିଷଦର ଆବାହକ ସୌରଭ ପଟ୍ଟନାୟକଙ୍କ ଦ୍ଵାରା ବିଶ୍ଵ ପଖାଳ ଦିବସ ଆୟୋଜନ କରା ଯାଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବନ୍ୟପ୍ରାଣୀ ସଂରକ୍ଷକ ଅସିତ କୁମାର ବେହେରା ଯୋଗ ଦେଇଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ବର୍ଗର ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ଲୋକେ ଏହି ଅବସରରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଏକା ସହିତ ବସି ପଖାଳ ଖାଇବାର ଆନନ୍ଦ ଉଠାଇଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର