ବାରିପଦା:କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ମେ ୩ ତାରିଖ ପର୍ଯ୍ୟନ୍ତ ଦେଶକୁ ଲକ ଡାଉନ କରାଯାଇଛି । ଲକଡାଉନ ଯୋଗୁଁ ମୟୁରଭଞ୍ଜ ଜିଲ୍ଲାରେ ଚୈତ୍ର ପର୍ବର ବିଶ୍ଵପ୍ରସିଦ୍ଧ ଛଉନୃତ୍ୟ ବନ୍ଦ ହୋଇଛି । ଢୋଲ, ନାଗରା, ଧୁମସା , ମହୁରୀର ତାଳେ ତାଳେ ଦୁଲୁକିଥାଆନ୍ତା ବାରିପଦାର ଐତିହାସିକ ଛଉପଡିଆ । ମାତ୍ର ମହାମାରୀ କରୋନା ଭୟରେ ସବୁକିଛି ନିରବ ହୋଇଯାଇଛି । ଶୁନଶାନ ପଡିଛି ବାରିପଦା ଛଉ ପଡିଆ ।
ତିନିଦିନ ଧରି ହେଉଥିବା ବିଶ୍ବପ୍ରସିଦ୍ଧ ଐତିହାସିକ ଛଉନାଚ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଜିଲ୍ଲାବାସୀ । ପରମ୍ପରା ମୁତାବକ ୩ ଦିନ ଧରି ଛଉ ପଡ଼ିଆରେ ଆରମ୍ଭ ହୁଏ ବହୁ ପ୍ରତୀକ୍ଷତ ଚୈତ୍ର ପର୍ବ । ମାତ୍ର ଚଳିତ ବର୍ଷ କରୋନା ପାଇଁ ଚୈତ୍ର ପର୍ବରେ ରୋକ୍ ଲାଗିଛି । ଛଉର ଉତ୍ପତ୍ତି କାଳରୁ ଏହି ପରମ୍ପରା କେବେ ମଧ୍ୟ ଭାଙ୍ଗି ନଥିଲା । ମାତ୍ର ଏବର୍ଷ କୋରୋନା ପାଇଁ ହାର ମାନିଛି ମଣିଷ । ଚୈତ୍ର ପର୍ବର ଅନୁପସ୍ଥିତିରେ ଛଉ କଳାକାର ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି । କେବଳ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅଳ୍ପ କିଛି କଳାକାର ମାନଙ୍କୁ ନେଇ ମା ଭୈରବୀ ଓ ଭୈରବଙ୍କୁ ରୀତିନୀତି ଅନୁସାରେ ପୂଜା କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭ ଭାରତ