ରାଇରଙ୍ଗପୁର: ବକେୟା ଟଙ୍କା ପ୍ରଦାନ ଦାବିରେ ଲୁହଖଣି ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ । ଖଣି ସମ୍ମୁଖରେ ଶତାଧିକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘ ଦିନ ହେବ ଶ୍ରମିକଙ୍କୁ ଦରମା ପ୍ରଦାନ କରିନଥିବା ଅଭିଯୋଗ ହୋଇଛି ।
ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଠାରେ ଥିବା ଲୁହଖଣିରେ ପ୍ରାୟ ୧୮୦୦ ରୁ ଅଧିକ ଶ୍ରମିକ ଭାବରେ କାର୍ଯ୍ୟରତ । ସେଥିମଧ୍ୟରୁ ଶତାଧିକ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ଟଙ୍କା ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ନେଇଥିବା ଲିଜ୍ ସମାପ୍ତ ହେବା ପରେ କମ୍ପାନୀ ପକ୍ଷରୁ ବକେୟା ପାଉଣା ନପାଇ ଶ୍ରମିକ ଅଶାନ୍ତି ଦେଖାଦେଇଛି ।
ଏନେଇ ଗୋରୁମହିଷାଣୀ ନିକଟସ୍ଥ ସାନମୌଦା ଓ କଟୁପିଟ୍ ଠାରେ ଶତାଧିକ ଶ୍ରମିକ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକ ନେତା ତଥା ସମାଜସେବୀ ଲକ୍ଷ୍ମଣ ଟୁଡୁଙ୍କ ସଭାପତିତ୍ବରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ସେପଟେ ଏନେଇ ଶ୍ରମିକ ଓ କର୍ମଚାରୀମାନେ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଶ୍ରମିକଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ