ରାଇରଙ୍ଗପୁର: ମାତିଛନ୍ତି କାଠ ମାଫିଆ । ଥୁଣ୍ଟା ହେଉଛି ଜଙ୍ଗଲ । ବନ ବିଭାଗର ଆଖି ଆଢୁଆଳରେ ଲୁଟ୍ ହେଉଛି ଜଙ୍ଗଲ । ଶାଳ ଶାଗୁଆନ ଭଳି ମୂଲ୍ୟବାନ କାଠ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ଶାଳ କାଠ ରାତି ଅଧିଆ ମାଫିଆମାନେ କାଟି ନେଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଗତ ଦୁଇ ଦିନ ତଳେ ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲର ବାରିପଦା-ପ୍ରତାପପୁର ରାସ୍ତାର ହାତୀକୋଟ ଠାରେ ଶତାଧିକ ଶାଳ ଗଛ କାଟି କେହି ନେଇ ଯାଇଥିଲେ । ଏନେଇ ଗତକାଲି ସକାଳୁ ଗାଁ ଲୋକେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ବନବିଭାଗକୁ ଖବର ଦେଇଥିଲେ । ତେବେ ରେଞ୍ଜ ଅଫିସରେ ବାରିପଦା ରେଞ୍ଜର ଉପସ୍ଥିତ ନ ଥିବା ବେଳେ ସେଠାରେ ଥିବା ବନବିଭାଗ କର୍ମଚାରୀ ଘଟଣା ବିଷୟରେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ । ଏନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହା ମଧ୍ୟ ପଢନ୍ତୁ- ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଅଟକ
ଏହା ମଧ୍ୟ ପଢନ୍ତୁ- ନୀଳଗିରି ଗଛ ନେଇ ଗଲେ ଆନ୍ଧ୍ର କାଠ ମାଫିଆ, ଭୟରେ ଜୀବନ କାଟୁଛନ୍ତି ପେଙ୍ଗଢୁସି ଗ୍ରାମବାସୀ
ସେପଟେ ଉକ୍ତ ଅଞ୍ଚଳରେ ଜଳସେଚନ ବିଭାଗର ଏକ ପ୍ରକଳ୍ପ ହେବାକୁ ଥିବାବେଳେ ଜଳସେଚନ ବିଭାଗ ମଧ୍ୟ ଗଛ ଗୁଡିକୁ କାଟି ଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେ ନେଇ ବନବିଭାଗ ପକ୍ଷରୁ କୌଣସି ଅନୁମତି ଦିଆ ଯାଇନାହିଁ । ତେଣୁ କାଠ ମାଫିଆଙ୍କ କାମ ହୋଇ ଥାଇପାରେ ବୋଲି ଗ୍ରାମବାସୀ ଅନୁମାନ କରିଛନ୍ତି । କାଠ ମାଫିଆ ରାସ୍ତା କଡରୁ ଶତାଧିକ ଗଛ କାଟି ନେଉଥିବା ବେଳେ ବନ ବିଭାଗ ପାଖରେ ଏହାର ଖବର ନାହିଁ । ଘଟଣା ସମ୍ପର୍କରେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କୁ ପଚାରିବାରେ ସେ ଘଟଣା ବିଷୟରେ ଜାଣିଥିବା କହିଛନ୍ତି । ତେବେ କେଉଁ ପରିସ୍ଥିତିରେ କିଏ ଏତେ ଗୁଡିଏ ଗଛ କାଟିନେଲା ତାହାର ତଦନ୍ତ କରାଯିବା ସହିତ ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ସେହିପରି ବେଆଇନ ଭାବେ ଉକ୍ତ ଗଛ କାଟିବାକୁ ନେଇ ବନବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ରାଇରଙ୍ଗପୁର