ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ କୟମଡିହି ଗ୍ରାମରେ ଆଶାକର୍ମୀଙ୍କ ଦ୍ବାରା ଦିଆଯାଇଥିବା କୃମି ଓ ଫାଇଲେରିଆ ବଟିକା ଖାଇ ମହିଳା ଅସୁସ୍ଥ ହୋଇପଡିଛନ୍ତି । ତେବେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପରେ ବାରିପଦା ପିଆରଏମ ସ୍ଥାନାନ୍ତରକୁ ଚିକିତ୍ସା ପାଇଁ ପଠାଯାଇଛି ।
ସମଗ୍ର ଦେଶକୁ ଫାଇଲେରିଆ ରୋଗରୁ ମୁକ୍ତ କରିବା ପାଇଁ ସରକାରଙ୍କ ତରଫରୁ ଆଶାକର୍ମୀଙ୍କ ଜରିଆରେ ପ୍ରତ୍ୟେକ ଘରେ ଘରେ ଔଷଧ ପହଞ୍ଚାଇବାକୁ ଅଭିଯାନ ଜାରି କରାଯାଇଛି। ତେବେ ତିରିଂ ଓ ବହଳଦା ବ୍ଲକରେ ମଧ୍ୟ କୃମି ଓ ଫାଇଲେରିଆ ବଟିକା ବଣ୍ଟନ କରାଯାଇଥିଲା । ଫାଇଲେରିଆ ବଟିକା ଖାଇବା ଦ୍ବାରା ନୁଆଗାଁ, ଜଶିପୁର, ଅସୁରଘାଟି, ସାପଘର, ନନ୍ଦବସା ଓ କୟମଡିହି ଗ୍ରାମର କିଛି ଲୋକଙ୍କ ଦେହରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଥିବା ସୂଚନା ମିଳିଥିଲା ।
ସେହିପରି କୟମଡିହି ଗ୍ରାମର ଗୁରୁଚରଣ ନାଗଙ୍କ ସ୍ତ୍ରୀ ମାଧୁରି ନାଗ କୃମି ଓ ଫାଇଲେରିଆ ବଟିକା ଖାଇବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା ଓ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତିରିଂ ସ୍ଥିତ ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ରାଇରଙ୍ଗପୁର ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ଜାରି ରହିଥିଲା ବେଳେ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବା ପରେ ଡ଼ାକ୍ତର ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରିଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ