ବାରିପଦା: କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ । ଏହା ଉପରେ କାବୁ ନକଲେ ସବୁ ଅନର୍ଥ ଘଟିଯାଏ । ସେହିଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ । ବିଳମ୍ବରେ ରୋଷେଇ କରିବା ମହଙ୍ଗା ପଡିଲା ସ୍ତ୍ରୀକୁ । କାଠ ଫାଳିଆରେ ବାଡେଇ ମାରିଲା ସ୍ୱାମୀ।
ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀ ନିକଟସ୍ଥ ହାଟକୁ ଯାଇ ସଉଦା କିଣି ଫେରିଥିଲେ । ଘରେ ପହଞ୍ଚିବା ପରେ ସ୍ତ୍ରୀ ରୋଷେଇ କରିବାରେ ବିଳମ୍ବ ହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ଉତ୍ୟକ୍ତ ସ୍ୱାମୀ ଜୁଲୁ ଭକ୍ତା ସ୍ତ୍ରୀ ନିନୀ ଭକ୍ତାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି ।
ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ସେଠାରୁ ଫେରାର ହୋଇଯାଇଥିବାବେଳେ, ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଫେରାର ଅଭିଯୁକ୍ତ ସ୍ୱାମୀର ଟେର ପାଇନି ପୋଲିସ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ