ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଡଗୁମା ନିକଟରୁ ଦମ୍ପତିଙ୍କ ଠାରୁ ସୁନାଚେନ ଲୁଟ ଉଦ୍ୟମ କରି ଫେରାର ହେଉଥିବା ବେଳେ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ଦମ୍ପତି ବାଇକରେ ଯାଉଥିଲା ବେଳେ ଲୁଟେରା ଏପରି ଉଦ୍ୟମ କରିଥିବା ଜଣାପଡିଛି ।
ଘଟଣା ଅନୁସାରେ ସୋମବାର ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଡଗୁମା-ତେନ୍ତୁଳି ଗାଁ ରାସ୍ତା ମଝିରେ ଏକ ଦମ୍ପତି ବାଇକରେ ଯାଉଥିବା ବେଳେ ବାଇକ ପଛରେ ବସିଥିବା ମହିଳାଙ୍କ ବେକରୁ ସୁନାଚେନ ଲୁଟି ପାଇଁ ଉଦ୍ୟମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଲୁଟେରା ।
ତେବେ ଲୁଟେରା ଜଣଙ୍କ ଅଭିନବ ଉପାୟରେ ନିଜ ବାଇକ ନମ୍ବର ପ୍ଲେଟରେ କାଦୁଅ ଲଗାଇ ସୁନା ଚେନ ଲୁଟ ଉଦ୍ୟମ କରି ଏକ ମଦ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ଗ୍ରାମବାସୀ ତାକୁ ଧରିବାରେ ସଫଳ ହୋଇଥିଲେ । ଲୁଟର ଶିକାର ହୋଇଥିବା ଦମ୍ପତି ଲୁଟେରାଙ୍କୁ ଚିହ୍ନିବା ପରେ ଗ୍ରାମବାସୀ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦେବାପରେ ପୋଲିସ ଜିମା ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବୈଶିଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ