ବାରିପଦା: ପରକୀୟା ପ୍ରୀତିକୁ ନେଇ ହତ୍ୟା ଅଭିଯୁକ୍ତ ଦିଅର ଓ ଭାଉଜକୁ ମିଳିଲା ଆଜୀବନ କାରାଦଣ୍ଡ । ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ଚୌଧୂରୀ ପ୍ରବୀର କୁମାର ଶୁକ୍ରବାର ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏଥିସହିତ ଉଭୟଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଜୋରିମାନା, ଅନାଦେୟ ଉଭୟେ ଅଧିକ ୪ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରି ଆଦେଶ ପ୍ରଦାନ କରିଛନ୍ତି ।
କାରାଦଣ୍ଡ ଆଦେଶ ପାଇଥିବା ଦୁଇ ଅଭିଯୁକ୍ତ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ଡେଙ୍ଗାମ ଗ୍ରାମର ହେମଲତା ଲୋହାରୀ(୩୨) ଓ କାଶୀନାଥ ଲୋହାରୀ(୩୪)। ଉଭୟେ ସମ୍ପର୍କରେ ଭାଉଜ ଓ ଦିଅର ଅଟନ୍ତି ।
ସୂଚନା ଅନୁଯାୟୀ, ଉଭୟ ଦିଅର ଓ ଭାଉଜ ମିଶି କରି ୨୦୧୪ମସିହା ଅଗଷ୍ଟ ୨୩ତାରିଖ ରାତିରେ ହେମଲତାଙ୍କ ସ୍ବାମୀ ଶିବ ଲୋହାରୀ(୩୭)ଙ୍କୁ ହତ୍ୟା କରିଥିଲେ। ହେମଲତା ତାଙ୍କ ସ୍ବାମୀ ଶିବଙ୍କର ଦୁଇ ଗୋଡକୁ ଜାବୁଡି ଧରି ଥିବା ବେଳେ ଦିଅର କାଶୀନାଥ ପ୍ଳାଷ୍ଟିକ ଦଉଡିରେ ଭାଇ ଶିବଙ୍କ ବେକରେ ଫାଶ ଦେଇ ହତ୍ୟା କରିଥିଲେ । ଏ ସମସ୍ତ ଘଟଣା ବାବଦରେ ମୃତକର ୮ବର୍ଷର ସନ୍ତାନ ଘଟଣା ପରଦିନ ଗ୍ରାମବାସୀଙ୍କ ନିକଟରେ ପ୍ରକାଶ କରିଥିଲା ।
ଉକ୍ତ ଘଟଣା ନେଇ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା । ଖବର ପାଇ ପୋଲିସ ଉଭୟ ଅଭିଯୁକ୍ତକୁ ଗିରଫ କରି ଏକ ନରହତ୍ୟା ମାମଲା ରୁଜୁ କରିଥିଲା । ଏହି ମାମଲାର ବିଚାର କରି ଜଜ୍ ସମସ୍ତ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାଶ ପରିଚାଳନା କରୁଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ