ରାଇରଙ୍ଗପୁର: ବିଭତ୍ସ ଭୟଙ୍କର । ଶତ୍ରୃତା ପାଇଁ ଭୁଲି ଗଲେ ରକ୍ତ ସମ୍ପର୍କ । ହତ୍ୟାର ପୁରା ସୁରାକ ଲୁଚାଇବା ପାଇଁ ଷଡଯନ୍ତ୍ର ରଚିଥିଲେ ପୁତୁରା । ଝାଡଖଣ୍ଡରେ ହତ୍ୟା କରି ଓଡିଶା ସୀମାରେ ଫୋପାଡିଥିଲେ ବଡବାପାର ମୃତଦେହ । ହେଲେ ଅଭିଯୁକ୍ତଙ୍କୁ ଧରାଇ ଦେଲା ଓଢଣୀ । ବଡବାପା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ପୁରା ଘଟଣା ଏମିତି... ଗତ 15 ତାରିଖରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ଜାମୁନାଳିଆ ଗ୍ରାମ ନିକଟର ଓଡିଶା ଓ ଝାଡ଼ଖଣ୍ଡ ସୀମାରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ମୃତଦେହଟି ଥିଲା ଜୟପାଲ ହେମ୍ବ୍ରମଙ୍କର । ତେବେ ଶୁକ୍ରବାର ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି । ଝାଡ଼ଖଣ୍ଡ ରାଜ୍ୟ ପଣ୍ଡୁଆବୁରୁ ଗ୍ରାମରୁ 2 ଅଭିଯୁକ୍ତ ଶରତ ମୁର୍ମୁ (21) ଓ ଭୋଳା ମୁର୍ମୁ (20)ଙ୍କୁ ଯଶିପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ତେବେ ଘରୋଇ କଳହ କେନ୍ଦ୍ର କରି ଏହି ହତ୍ୟା ଘଟଣା ଘଟିଛି । ଅଭିଯୁକ୍ତ 2 ଜଣ ଓଢଣୀ ସାହାଯ୍ୟରେ ତଣ୍ଟି ଚିପି ତାଙ୍କ ବଡବାପା ଜୟପାଲଙ୍କୁ ଝାରଖଣ୍ଡରେ ହତ୍ୟା କରିଥିଲେ । ପରେ ଓଡିଶା ଆଣି କୂଅରେ ଫିଙ୍ଗି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ