ମୟୂରଭଞ୍ଜ: 4 ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛନ୍ତି ପରିବହନ କର୍ମଚାରୀ । ଯାହାଫଳରେ ବସ ଚଳାଚଳ ଆଶା ଅନିଶ୍ଚିତତା ମଧ୍ୟରେ ରହିଛି ।
ଦୀର୍ଘ ଦିନ ପରେ ବସ ଚଳାଚଳ ପାଇଁ ରାଜ୍ୟ ସରକାର ଓ ବସ ମାଲିକ ସଂଘର ନିଷ୍ପତ୍ତି କ୍ରମେ ବସ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡିଥିଲା । ତେବେ ପଞ୍ଚମ ପର୍ଯ୍ୟାୟ ଲକଡାଉନ ସମୟରେ କିଛିଟା ଆଶ୍ବସ୍ଥି ମଧ୍ୟ ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରକୁ ପରିବହନ ଚଳାଚଳକୁ ଅନୁମତି ମିଳିଥିବା ବେଳେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କର ୟୁନିୟନ ଚାରି ଦଫା ଦାବିରେ ଧର୍ମଘଟକୁ ଓହ୍ଲାଇଛି।
ମୟୂରଭଞ୍ଜ ଜିଲ୍ଲା ବାରିପଦା ବସଷ୍ଟାଣ୍ଡରେ କର୍ମଚାରୀମାନେ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ମୁଖ୍ୟତଃ ଦାବି ଗୁଡିକ ମଧ୍ୟରେ ସମସ୍ତ ଯାତ୍ରୀ ପରିବହନ କର୍ମଚାରୀଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ଲକଡାଉନ ସମୟରେ ଦରମା, ରାସନ ଓ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପରିବହନ କର୍ମଚାରୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା, ମୃତ୍ୟବରଣ କଲେ ଏକ କୋଟି ଟଙ୍କା ଦେବାକୁ ଦାବି ରହିଛି । ଏହାସହ ବସ ଷ୍ଟାଣ୍ଡ ଏବଂ ବସ ଗୁଡିକୁ ସାନିଟାଇଜ କରାଇବା ଦାବିରେ ସୋମବାର ଠାରୁ ଧର୍ମଘଟକୁ ଓହ୍ଲାଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ