ରାଇରଙ୍ଗପୁର: ବାଘଛାଲ ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ହାଜତରୁ ଫେରାର୍ ହୋଇଯାଇଛି । ମଣଦା ଫରେଷ୍ଟ ରେଞ୍ଜରଙ୍କ ଖାମଖିଆଲି ପାଇଁ ଗିରଫ ହୋଇ ମଧ୍ୟ ଘଟଣାର ମାଷ୍ଟର ମାଇଣ୍ଡ ଖସି ପଳାଇଥିବା ଅଭିଯୋଗ ହେଉଛି ।
ସେପ୍ଟେମ୍ବର ମାସ 3 ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗ୍ରାମରେ ବାଘଛାଲ ଚୋରା ଚାଲାଣ ପାଇଁ ଯୋଜନା ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଚଢାଉ କରି ବାଘଛାଲ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଲକ୍ଷ୍ମଣ ନାଏକଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ମୁଖ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।
ଦୀର୍ଘଦିନର ଟ୍ରାକିଂ ପରେ ପୋଲିସ ଶେଷରେ ଅନ୍ୟ ମୁଖ୍ୟ ଅଭିଯୁକ୍ତ ଲବ ନାଏକ ଓ ସହଯୋଗୀ ପାର୍ଥ ନାଏକକୁ ପୋଲିସ ଗିରଫ କରିଥିଲା । ଗତକାଲି(ଶୁକ୍ରବାର) ରାତିରେ ଲବ ନାଏକ ଓ ପାର୍ଥ ନାୟକକୁ କରୋନା ପରୀକ୍ଷା ପାଇଁ ଫରେଷ୍ଟ ରେଞ୍ଜର ମଣଦା ଡାକ୍ତରଖାନାକୁ ନେଇଥିଲା । ଲବ ନାଏକ ପୋଲିସ ଆଖିରେ ଧୂଳି ଦେଇ ସେଠାରୁ ଫେରାର୍ ହୋଇଯାଇଛି । ତେବେ ପୋଲିସ ଲବ ନାଏକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଡେରା ପକାଉଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ