ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ନିୟମିତ ଭାବରେ ପୋଲିସ ଓ ବନବିଭାଗ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ସର୍ଚ୍ଚ ଅପରେସନ ଚଲେଇଛନ୍ତି । ଶିକାରୀ ଗୁଳିରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଜଣ ବନ କର୍ମଚାରୀ ମୃତ୍ୟୁବରଣ କରିବା ପରେ ପୋଲିସ ପକ୍ଷରୁ ଶିମିଳିପାଳରେ କମ୍ବିଂ ଅପରେସନ କରାଯାଉଛି । ସେଥିରେ ପୋଲିସକୁ ବହୁଳ ମାତ୍ରାରେ ସଫଳତା ମିଳିଛି । ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଓ ଜଙ୍ଗଲ ମଧ୍ୟରୁ ୮ଟି ବନ୍ଧୁକ ଜବତ କରାଯାଇ ଥିବାବେଳେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ ।
ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ପୋଲିସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟକୁ ଲାଗିଥିବା ରେଣ୍ଟାସାହି, ଚନ୍ଦନଚତୁରୀ, ଚମ୍ପାଗଡ଼, ଯଦୁନାଥପୁର ଓ ହାତୀକୁଟ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ତିନୋଟି ଦେଶୀ ବନ୍ଧୁକ ଜବତ କରାଯିବା ସହିତ ତିନି ଜଣକୁ ଗିରଫ କରିଥିଲା ପୋଲିସ । ସେହିପରି ଜିଲ୍ଲାର ଖୁଣ୍ଟା ଥାନା ପୋଲିସ ବହଳଦା ଗ୍ରାମ ନିକଟସ୍ଥ ଶିମିଳିପାଳ ଜଙ୍ଗଲ ଭିତରେ ଶିକାରୀମାନେ ବନ୍ଧୁକ ଲୁଚାଇ ରଖିଥିବାର ଖବର ପାଇଥିଲା ପୋଲିସ । ଜଙ୍ଗଲରେ ଖାନତଲାସି କରି ପୋଲିସ ୫ଟି ଦେଶୀ ବନ୍ଧୁକ ଜବତ କରିଛି ।
ଅଧିକ ପଢ଼ନ୍ତୁ: ଶିମିଳିପାଳରେ କୁମ୍ବିଂ ଅପରେସନ, ବନ୍ଧୁକ ସହ ୩ ଶିକାରୀ ଗିରଫ
ତେବେ ସେହି ସ୍ଥାନରେ କେଉଁମାନେ ବନ୍ଧୁକ ଲୁଚାଇ ରଖିଥିଲେ ସେନେଇ ଖୁଣ୍ଟା ଥାନା ପୋଲିସ ଶିମିଳିପାଳ ପାଦଦେଶ ସ୍ଥିତ ବିଭିନ୍ନ ଗାଁ ଗୁଡିକରେ ପଚରାଉଚରା ଜାରି ରଖିଛି । ଏହି ଘଟଣାକୁ ନେଇ ଖୁଣ୍ଟା ଥାନା ଓ ବଡ଼ସାହି ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଗିରଫ ହୋଇଥିବା ତିନି ଜଣ ଶିକାରୀ ବଡ଼ସାହି ଥାନା ଅନ୍ତର୍ଗତ ହାତୀକୋଟ ଗ୍ରାମର ମଦନ ସିଂ, ମହେନ୍ଦ୍ର ସିଂ ଓ ଶ୍ୟାମସୁନ୍ଦର ସିଂ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ସହିତ ସମସ୍ତ ଶିକାରୀଙ୍କୁ ବାରିପଦା କୋର୍ଟ ଚାଲାଣ କରାଯାଇଥିବା ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।
ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ‘‘ଶିମିଳିପାଳରେ ଶିକାରୀଙ୍କ ରାଜକୁ ଅନ୍ତ ଘଟାଇବା ପାଇଁ କମ୍ବିଂ ଅପରେସନ କରାଯାବ । ଯେଉଁମାନେ ବି ବେଆଇନ ଭାବେ ବନ୍ଧୁକ ରଖୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଛନ୍ତି ବା ଦେଶୀ ବନ୍ଧୁକ ତିଆରି କରୁଛନ୍ତି ସେମାନେ ନିଜ ଇଚ୍ଛାରେ ଆତ୍ମସମର୍ପଣ କରନ୍ତୁ ।’’
ଇଟିଭି ଭାରତ, ମୟୂରଭଞ୍ଜ