ରାଇରଙ୍ଗପୁର: ଜଳ ଯୋଗାଣ କାର୍ଯ୍ୟରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ମୂଲ୍ୟର ଜେନେରେଟର ଚୋରି । ଏହି ଘଟଣାରେ ୬ଜଣ ଅଭିଯୁକ୍ତ ଗିରଫ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରେ । ତେବେ ଅଭିଯୁକ୍ତମାନେ ହେଲେ ଶୈଲେଶ କୁମାର ନନ୍ଦ, ପ୍ରାଣନେଶ କୁମାର ମଣ୍ଡଳ, ଦୁଷ୍ମନ୍ତ ପାଲ, ଏସକେ ଅରମାନ୍, ବିକାଶ ମୁଣ୍ଡାରୀ ଓ ବିକି ଦାସ ବୋଲି ଜଣାପଡିଛି ।
ତେବେ ପାନୀୟ ଜଳର ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ମାଧ୍ୟମରେ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ବିଭିନ୍ନ ଗାଁ ଗୁଡିକରେ ଓଭର ହେଡ୍ ଟ୍ୟାଙ୍କ ନିର୍ମାଣ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି । ହେଲେ ଉକ୍ତ ଜଳ ଯୋଗାଣ କାର୍ଯ୍ୟରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ମୂଲ୍ୟର ଜେନେରେଟରକୁ ମଧ୍ୟ ଚୋରି କରିବାକୁ ପଛାଉ ନାହାନ୍ତି ଚୋର । ଚଳିତ ଅଗଷ୍ଟ ମାସ ୧୯ ତାରିଖ ଦିନ ବିଶୋଇ ଥାନା ଅନ୍ତର୍ଗତ ଚଟାଣୀ ଗ୍ରାମରୁ ଆରଡବ୍ଲ୍ୟୁଏସଏସ(RWSS) ବିଭାଗର ଲକ୍ଷାଧିକ ଟଙ୍କାର ଜେନେରେଟର ଓ ଏକ କଟର ମେସିନ ଚୋରି ହୋଇଥିଲା । ଏନେଇ ବିଶୋଇ ଥାନାରେ ଅଭିଯୋଗ କରିଥିଲେ ଦାୟିତ୍ଵରେ ଥିବା ନାରାୟଣ ଗିରି। ଅଭିଯୋଗର ୧୧ ଦିନ ପରେ ଧରା ପଡ଼ିଛନ୍ତି ୬ ଜଣ ଚୋର । ଏନେଇ ମୁଖ୍ୟ ଅଭିଯୁକ୍ତ ଶୈଲେଶ କୁମାର ନନ୍ଦ ପୋଲିସ ନିକଟରେ ଚୋରି କରିଥିବା ସ୍ବୀକାର କରିବା ପରେ ତାଙ୍କୁ ଚୋରି କାମରେ ସହଯୋଗ କରିଥିବା ସମସ୍ତଙ୍କୁ ଗୋରୁମହିଷାଣୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।
ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମପଞ୍ଚାୟତର ଚଟାଣି ଗ୍ରାମରେ ଗତ ୬ ମାସ ପୂର୍ବରୁ RWSS ବିଭାଗ ପକ୍ଷରୁ ବସୁଧା ଜଳ ପାଇଁ ଏକ ଓଭର୍ ହେଡ୍ ପାଣି ଟାଙ୍କି ନିର୍ମାଣ ଚାଲିଥିଲା । ସେହି ସମୟରେ ସେଠାରେ କାମ କରୁଥିବା ଗୋରୁମହିଷାଣୀ ଅଞ୍ଚଳର ଶୈଳେଶ କୁମାର ନନ୍ଦ ନାମକ ଜଣେ ଯୁବକ ଗତ ଅଗଷ୍ଟ ମାସ ୧୯ ତାରିଖ ଏକ ଜେନେରେଟରକୁ ଚୋରି କରି OD 11A 1451 ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନରେ ଗୋରୁମହିଷାଣି ଅଞ୍ଚଳକୁ ନେଇ ଯାଇଥିଲେ l ତେବେ ଏହି ଚୋରି କାମରେ ଶୈଳେଶଙ୍କୁ ଗୋରୁମହିଷାଣି ଅଞ୍ଚଳର ୫ଜଣ ସହଯୋଗ କରିଥିଲେ । ତେବେ ଏନେଇ ବିଶୋଇ ଥାନାରେ ଏତଲା ଦିଆଯିବା ପରେ ବିଶୋଇ ଥାନା ପୋଲିସ ଘଟଣାକୁ ଗୁରୁତ୍ବ ଦେଇ ତଦନ୍ତ ଜାରି ରଖିଥିଲା ।
ଏହା ମଧ୍ୟ ପଢନ୍ତୁ- ବିହାର ଚୋରଙ୍କ ନଜରରେ ଓଡିଶା ରାଜବାଟୀ: ଚୋରି ଉଦ୍ୟମ ବେଳେ ଧରାପଡିଲେ, ଖାଇଲେ ଉତ୍ତମ ମଧ୍ୟମ
ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ମିଳିତ ଭାବେ ଚଢ଼ାଉ କରି ଗୋରୁମହିଷାଣୀ ଅଞ୍ଚଳରୁ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଜେନେରେଟର ଓ କଟର ମେସିନ ଜବତ କରିଥିଲା । ଏଥିସହ ଚୋରିରେ ବ୍ୟବହୃତ ପିକ୍ଅପ ଭ୍ୟାନକୁ ମଧ୍ୟ ଜବତ କରିଛି ବିଶୋଇ ଥାନା ପୋଲିସ। ତେବେ ବିଶୋଇ ଥାନାରେ କେସ ନଂ ୧୫୫/୨୩ ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାଇରଙ୍ଗପୁର କୋର୍ଟ ଚାଲାଣ କରା ଯାଇଥିବା ନେଇ ବିଶୋଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଇଟିଭି ଭାରତ, ରାଇରଙ୍ଗପୁର