ବାରିପଦା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତ ଦୁଇ ବାଣିଜ୍ୟର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି । ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ କାର୍ଯ୍ୟାଳୟ, ବାରିପଦା ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି ।
ଚଳିତବର୍ଷ ଉତ୍ତର ଓଡିଶା ଜୋନର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାସ ହାର ୭୨.୩୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୭୦.୯୮ ପ୍ରତିଶତ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ବାଲେଶ୍ଵର ଜିଲ୍ଲାର ୭୬.୪୭, କେନ୍ଦୁଝର ଜିଲ୍ଲାର ୬୫.୯୪ ଓ ଭଦ୍ରକ ଜିଲ୍ଲାର ୭୬.୧୦ ପ୍ରତିଶତ ରହିଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ ଉପ ସଚିବ ଜୟଦେବ ପ୍ରମାଣିକ ସୂଚନା ପ୍ରଦାନ କରିଛନ୍ତି ।
ଯୁକ୍ତ ଦୁଇ ବାଣିଜ୍ୟରେ ମୟୂରଭଞ୍ଜ ଜିଲ୍ଲାର ସମୁଦାୟ ପରୀକ୍ଷାକେନ୍ଦ୍ରରେ ୯୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୬୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩୫ ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୧୫୧ ଜଣ, ତୃତୀୟ ଶ୍ରେଣୀରେ ୩୭୬ ଜଣ ଓ ଜଣେ କମ୍ପାଟମେଟାଲରେ ପାସ କରିଥିବାର ସୂଚନା ପ୍ରଦାନ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ