ରାଇରଙ୍ଗପୁର: କରଞ୍ଜିଆ NACରେ ନିଆଁ ଲାଗିବା ଘଟଣା । ଏନେଇ ଥାନାରେ ଏତଲା ଦେଲା ବିଜେପି । ଗତ ସୋମବାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ NAC କାର୍ଯ୍ୟାଳୟର ଗୋଦାମ ଘରେ ନିଆଁ ଲାଗିବା ଘଟଣା ନେଲା ରୋଚକ ମୋଡ଼ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରରୋଚନାରେ ଗୋଦାମ ଘରେ ନିଆଁ ଲଗାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଲା କରଞ୍ଜିଆ ବିଜେପି ।
ଏ ନେଇ କରଞ୍ଜିଆ ବିଜେପିର ଏକ ପ୍ରତିନିଧି ଦଳ କରଞ୍ଜିଆ ଥାନାରେ ବିଧିବଦ୍ଧ ଏତଲା ଦେବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଅଗ୍ନିକାଣ୍ଡ ଦ୍ବାରା ହୋଇଥିବା କ୍ଷୟକ୍ଷତି ନେଇ ଏନଏସି ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି । ତାହା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ବିଶେଷ କରି ଏକ ଛୋଟ ଗୋଦାମ ଘରେ ଏତେ ପରିମାଣର ଜିନିଷପତ୍ର କେମିତି ରହିଥିଲା ତାହାକୁ ନେଇ ସନ୍ଦେହ କରିଛି ଦଳ ।
ତେବେ ଅଗ୍ନିକାଣ୍ଡ ପରେ ସମ୍ପୃକ୍ତ ଗୋଦାମ ଘରେ ୫୬୦୦ ଲିଟର ମଶାତେଲ, ୫୫୦ଲିଟର ଫିନାଇଲ ଓ ୩୪୦ ପକେଟ ବ୍ଲିଚିଂ ପାଉଡର ସହ କିଛି ସଫେଇ ସାମଗ୍ରୀ ଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ ଅନୁମାନ କରୁଛନ୍ତି ଏନଏସି କର୍ତ୍ତୃପକ୍ଷ ।
ଏହି ଘଟଣାକୁ ନେଇ କରଞ୍ଜିଆ ବିଜେପି ଦେଇଥିବା ଏତଲାକୁ ଆଧାର କରି କରଞ୍ଜିଆ ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ତେବେ ବାରିପଦାରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି କରଞ୍ଜିଆ ଗସ୍ତ କରି ତଦନ୍ତ କରି ଫେରି ଯାଇଥିବା ଜଣାପଡିଛି ।
ସେପଟେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାର ତଦନ୍ତ କରିବା ସହିତ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍ ସିଜ୍ କରିଛି କରଞ୍ଜିଆ ଥାନା ପୋଲିସ । ଅନ୍ୟପଟେ ଏହି ଘଟଣାକୁ ନେଇ ଫୋନ ଯୋଗେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ