ରାଇରଙ୍ଗପୁର: ପ୍ରଥମ ଓଡ଼ିଆ ଭାବେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଅଧିବାସୀ ଦ୍ରୌପଦୀ ମୁର୍ମୁ । NDA ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଘୋଷିତ କରିବା ପରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଟେଣ୍ଟୋପୋଷି ଗ୍ରାମର ଶିକ୍ଷକ ବାସୁଦେବ ବେହେରା ତାଙ୍କୁ ଶିଷ୍ୟା ରୂପେ ପାଇଁ ଧନ୍ୟ ମନେ କରୁଥିବା କହିଛନ୍ତି ।
ବାସୁଦେବ ବେହେରାଙ୍କ ବୟସ ୭୨ ବର୍ଷ ହୋଇଥିବା ବେଳେ ସେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିସାରିଛନ୍ତି । ତେବେ କୁସୁମୀ ବ୍ଲକ ଉପରବେଡା ଗ୍ରାମ ସ୍ଥିତ ଏମଇ ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ଦ୍ରୌପଦୀ ମୁର୍ମୁ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ବାସୁଦେବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଦ୍ରୌପଦୀଙ୍କୁ ପାଠ ପଢାଇଥିଲେ ।
ସେ ସମୟରେ ଦ୍ରୌପଦୀ ଭଲ ପାଠ ପଢୁଥିବା ସହିତ ଆଚାର ବ୍ୟବହାର ମଧ୍ୟ ଉଚ୍ଚକୋଟିର ଥିଲା । ସପ୍ତମ ଶ୍ରେଣୀ ପରେ ଉଚ୍ଚ ଶିକ୍ଷା ପାଇଁ ଦ୍ରୌପଦୀ ଭୁବନେଶ୍ବର ଆସିଥିଲେ । ଶିକ୍ଷା ଶେଷ ହେବା ପରେ ସେ ଭୁବନେଶ୍ଵର ସଚିବାଳୟରେ ଚାକିରି କରିଥିଲେ । ପରେ ସେଠାରୁ ରାଇରଙ୍ଗପୁର ଫେରିଆସି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅବୈତନିକ ଶିକ୍ଷକ ଭାବରେ ନିଯୁକ୍ତି ପାଇ ଶିକ୍ଷାଦାନ କରୁଥିଲେ ।
ପରେ ବିଜେପିର ଜଣେ ସାଧାରଣ କର୍ମୀ ଭାବେ ୧୯୯୭ ମସିହାରେ ଦ୍ରୌପଦୀ ରାଜନୀତିକୁ ଆସିଥିଲେ । ସମୟକ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଓ କାଉନସିଲର ଭାବେ ପ୍ରଥମ ନିର୍ବାଚନ ଜିତିଥିଲେ । ଏହାପରେ ରାଇରଙ୍ଗପୁରରୁ ବିଜେପି ବିଧାୟକ ଓ ଓଡ଼଼ିଶାରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ।
ତେବେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ମଧ୍ୟ ଦ୍ରୌପଦୀ ଉପରବେଡା ଗ୍ରାମକୁ ଯାଇ ବାସୁଦେବ ସାରଙ୍କ ଗୁରୁ ପୂଜନ କରିଥିଲେ । ଏଭଳି ଶିଷ୍ୟ ତଥା ଛାତ୍ରୀକୁ ପାଇ ଜୀବନ ଧନ୍ୟ ହୋଇଯାଇଥିବା କହିଛନ୍ତି ବାସୁଦେବ ସାର୍ । ତେବେ ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟିଥିବା ଦ୍ରୌପଦୀ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ତାଙ୍କ ଶିକ୍ଷକ ଗର୍ବ ଅନୁଭବ କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର