ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ । ଗୁରୁବାର ପୂର୍ବତନ କଟକରୁ କରଞ୍ଜିଆ ଆସି ଯଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ମାଟିଆଗଡ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ।
ଆଜି ବାମନଘାଟି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ରାଇରଙ୍ଗପୁର ବ୍ଲକ ଅଧିନ ବଡମୌଦା ପଞ୍ଚାୟତର କଟୁପିଟ ରାସ୍ତା, ଗୋରୁମହିଷାଣି ଆଦର୍ଶ ବିଦ୍ୟାଳୟ, ନଖସରିଆ ଗ୍ରାମର ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।
କିଭଳି ଭାବେ ଖଣି ଉନ୍ନୟନ ପାଣ୍ଠିର ବିନିଯୋଗ ହୋଇ ପାରିବ ସେ ନେଇ ପୂର୍ବତନ ବିଚାରପତି ଏସବୁ ଅଞ୍ଚଳ ପରିଦର୍ଶନ କରିବା ସହିତ ତା ଉପରେ ତଦନ୍ତ କରିଥିଲେ। ପୂର୍ବତନ ବିଚାରପତିଙ୍କ ସୂଚନା ଅନୁସାରେ ଏବର୍ଷ ଓ ପୂର୍ବରୁ ଖଣିରୁ ପାଖାପାଖି 16 ହଜାର 8 ଶହ କୋଟି ଟଙ୍କା ଫାଇନ ଆଦାୟ ହୋଇଛି।
ଏସବୁ ଟଙ୍କା ଓଡିଶା ମନି ଡେଭେଲପମେଣ୍ଟ ଆସୋସିଏସନ କମ୍ପୋଜିସନର ପାଣ୍ଠିରେ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏହି ପାଣ୍ଠି ରାଇରଙ୍ଗପୁର ବ୍ଲକ, ଯଶୀପୁର ବ୍ଲକ ଓ କୁସୁମୀ ବ୍ଲକର ଖଣି ଅଞ୍ଚଳରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟରେ ବିନିଯୋଗ ହେବା ନେଇ ପୂର୍ବତନ ବିଚାରପତି ଏସବୁ ଅଞ୍ଚଳ ପରିଦର୍ଶନ କରିବା ସହିତ ତଦାରଖ କରିଥିଲେ।
ଏହାପରେ ପୂର୍ବତନ ବିଚାରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ଏସଡିଏମଓ ଛତିଶ ଚନ୍ଦ୍ର ମହାନ୍ତଙ୍କ ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ତାଙ୍କ ସହ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ