ବାରିପଦା: ମୟୂରଭଞ୍ଜରେ ପୁଣି ଥରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ଵାସରେ ଅନ୍ଧକାର । ଡାହାଣୀ ସନ୍ଦେହରେ ଗାଁରୁ ଦମ୍ପତିଙ୍କୁ ତଡି ଦେଲେ ଗ୍ରାମବାସୀ । କେହି ଆଶ୍ରୟ ନଦେବାରୁ ଆମ୍ବଗଛ ମୂଳେ ରହିଥିଲେ ଉଭୟେ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ଥାନା ଅନ୍ତର୍ଗତ ଜୁଆଲିକଟା ଗ୍ରାମର ଘଟଣା ।
ଗାଁର ଚିତନ ମୁର୍ମୁ ଓ ପାର୍ବତୀ ମୁର୍ମୁଙ୍କୁ କିଛି ଦିନ ତଳେ ଗ୍ରାମବାସୀ ଡାହାଣୀ ସନ୍ଦେହ କରି ଗାଁରୁ ତଡି ଦେଇଥିଲେ । ଉପାୟ ନପାଇ ଦମ୍ପତି ନିଶ୍ଚିନ୍ତା ପଞ୍ଚାୟତର ମହିସାହୁଦା ନିକଟରେ ଏକ ଆମ୍ବଗଛ ମୂଳେ ରହୁଥିଲେ । ତେବେ ଚିତନ ମୁର୍ମୁଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ଗର୍ଭବତୀ ସ୍ତ୍ରୀ ପାର୍ବତୀ ମୁର୍ମୁ ଗତ 23 ତାରିଖ ଦିନ ଏହି ଆମ୍ବ ଗଛ ମୂଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ତେବେ ଏନେଇ ଖବର ପାଇବା ପରେ ଦମ୍ପତିଙ୍କ ନିକରେ ସ୍ଵାସ୍ଥ ବିଭାଗ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ମାଆ ଓ ନବ ଜନ୍ମିତ ପୁତ୍ରକୁ ଚିକିତ୍ସା ପାଇ ବାଙ୍ଗରିପୋଷୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଉଭୟକୁ ଉତ୍ତମ ଚିକିତ୍ସା ପାଇଁ ବାଙ୍ଗରିପୋଷୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ