ରାଇରଙ୍ଗପୁର: ମଧ୍ୟାହ୍ନ ଭୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ଭାତ ଥାଳି ଧରି ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ । ବିନୋଦ ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଯାହାକୁ ନେଇ ଆଜି ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଭାତ ଥାଳି ଧରି ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ।
ଏହା ବି ପଢ଼ନ୍ତୁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣକୁ ଅନୁମତି, ସପ୍ତାହକୁ ଦୁଇ ଦିନ ଉଡ଼ିବ ବିମାନ
ସୂଚନା ଅନୁଯାୟୀ, ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କେବଳ ଭାତ ଦିଆ ଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ତରକରୀ ମିଳୁନାହିଁ । ଫଳରେ ଆନ୍କ ସମୟରେ ପିଲାମାନେ ଖାଲି ଭାତ ଖାଉଥିବା ଏସଏମସି କମିଟିର ପକ୍ଷରୁ ଅଭିଯୋଗ ହୋଇଛି । ତରକାରୀ ନଦେବାରୁ ପିଲାମାନେ ଭାତ ଖାଇ ନପାରି ଏ ବିଷୟରେ ଅଭିଭାବକଙ୍କୁ ଅବଗତ କରାଇ ଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀ ଭାତ ଥାଳି ଧରି ରାସଗୋବିନ୍ଦପୁର ବ୍ଲକ ପରିସରରେ ଧାରଣା ଦେଇଥିଲେ।
ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଏସଏସଜି ମହିଳାମାନେ ଥିବା ବେଳେ ତରକାରୀର ଅଭାବ ଦୀର୍ଘ ଦିନ ଧରି ଲାଗି ରହିଥିବା ଅଭିଯୋଗ ହୋଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମନମୁଖି ଭାବେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁଯାୟୀ କମ ପରିମାଣରେ ତରକାରୀ ପ୍ରସ୍ତୁତ କରୁଥିବା ସଏମସି କମିଟିର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଛାତ୍ରଛାତ୍ରୀ ଧାରଣା ଦେଇଲେ । ଏ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ପୁଙ୍ଖାନୁପୁଙ୍ଖନ ଭାବରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀଙ୍କ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ଛାତ୍ରଛାତ୍ରୀ ।
ତେବେ ସ୍କୁଲ, ଅଙ୍ଗନୱାଡ଼ିଗୁଡିକରେ ବାରମ୍ବାର ଏହିପରି ଅଭାବନୀୟ ଘଟଣା ସବୁ ଘଟୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଗତ ଶନିବାର ଦିନ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବେଲବୋରିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ ଗ୍ରାମବାସୀ । ପୂର୍ବରୁ ଗର୍ଭବତୀ, ମାଆ ଓ ଶିଶୁମାନଙ୍କୁ ନିମ୍ନ ମାନର ଛତୁଆ, ବାଦାମ, ଗୁଡ଼, ଲଡୁ ଦିଆ ଯାଉଥିବା ନେଇ ବିଡ଼ିଓ, ସିଡିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି ।
ଇଟିଭି ଭାରତ, ରାଇରଙ୍ଗପୁର