ବାରିପଦା: ରାତି ପାହିଲେ ଗଣେଶ ପୂଜା । ମାତ୍ର ମୟୁରଭଞ୍ଜ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଗଣେଷ ପୂଜା ବନ୍ଦ ରହିବା ସହ ପୂର୍ବପରି ସପ୍ତାହନ୍ତ ଶନିବାର ଓ ରବିବାର ସଟଡାଉନ କଡାକଡି ପାଳନ ହେବ ବୋଲି ଜିଲ୍ଲାପାଳ ଭିନିତ ଭରଦ୍ବାଜ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବବର୍ଷ ମାନଙ୍କରେ ଗଣେଶ ପୂଜା ନେଇ ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠେ । ସେହିପରି ଜିଲ୍ଲା ସଦର ମହକୁମା ବାରିପଦାରେ ଅଗ୍ରଗଣ୍ୟ ଗଜାନନଙ୍କୁ ଭକ୍ତିର ସହ ପୂଜା କରାଯାଏ। କେବଳ ବାରିପଦା ସହରରେ ୩୫ ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପ ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଏ। ମାତ୍ର କୋରୋନା ପାଇଁ ଜିଲ୍ଲାର ସର୍ବସାଧାରଣ ସ୍ଥାନ ତଥା ଅନୁଷ୍ଠାନ ଗୁଡ଼ିକରେ ଗଣେଶ ପୂଜା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।
ତେବେ ପୂର୍ବପରି ଗଣେଶ ପୂଜାରେ ମଧ୍ୟ ମୟୁରଭଞ୍ଜ ଜିଲ୍ଲାର ସଟଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଘରେ ଲୋକମାନେ ଗଣପତିଙ୍କୁ ଆବାହନ କରିପାରିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ବାରିପଦାର ସହରରେ କେବଳ ଘରୋଇ ପୂଜା ପାଇଁ କିଛିଲୋକ ଛୋଟ ମୂର୍ତ୍ତି କିଣୁଥିବା ଦେଖିବାକୁ ମିଳିଛି।
ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ